ବିଏମସି ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ସମସ୍ୟାରେ ଅପରାଜିତା

Apr 19, 2019 - 14:55
 179
ବିଏମସି ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ସମସ୍ୟାରେ ଅପରାଜିତା
ଭୁବନେଶ୍ୱର,୧୯/୪(ସକାଳଖବର): ଭୁବନେଶ୍ୱର ମହାନଗର ନିଗମର ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ଏବେ ଅଡ଼ୁଆରେ ପଡ଼ିଛନ୍ତି ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀନୀ ଅପରାଜିତା ଷଡ଼ଙ୍ଗୀ । ଏକଦା ଭୁବନେଶ୍ୱର ମହାନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ଅପରାଜିତା ନିଜ କାର୍ଯ୍ୟକାଳ ସମୟରେ ଅନ୍ୟୂନ ୧୪୮୮ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା କୌଣସି ପଦକ୍ଷେପ ଗ୍ରହଣ ନକରିବା ଫଳରେ ଏହି କର୍ମଚାରୀମାନେ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ଅପରାଜିତା ଭୁବନେଶ୍ୱର ମହାନଗର ନିଗମ ପରିସରରେ ଘରଘର ବୁଲି ଭୋଟ ଭିକ୍ଷା କରୁଥିବାବେଳେ କର୍ମଚାରୀମାନେ ଏହି ପ୍ରଶ୍ନ ଉଠାଉଛନ୍ତି । ଅପରାଜିତା ଜଣେ ଆଇଏଏସ୍ ଅଧିକାରୀ ଭାବେ ପରିଚିତ । ଜନସେବା ପାଇଁ ନିଜର ରୁଚି ନିମନ୍ତେ ବାକି ୧୧ ବର୍ଷର ଚାକିରୀ ଜୀବନକୁ ଜଳାଞ୍ଜଳି ଦେଇ ରାଜନୀତିରେ ପାଦ ଥାପିଲେ ଏବଂ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ । ଚଳିତ ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ବିଜେଡ଼ିର ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅରୂପ ପଟ୍ଟନାୟକଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୧୯୯୮ ମସିହାରେ ଭୁବନେଶ୍ୱର ମହାନଗର ନିଗମରେ ୮୮୮ ଜଣ କର୍ମଚାରୀଙ୍କୁ ଅସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇ ସେମାନଙ୍କୁ ସିଏଲଆର ଶ୍ରେଣୀରେ ରଖାଯାଇଥିଲା । ଏଥିସହ ପୂର୍ବରୁ ନିଗମରେ ୬୦୦ ଅସ୍ଥାୟୀ କର୍ମଚାରୀ ଥିଲେ । ଅପରାଜିତା ଷଡ଼ଙ୍ଗୀ ୨୦୦୬ ମସିହାରେ ଭୁବନେଶ୍ୱର ମହାନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । କିନ୍ତୁ ତାଙ୍କ ସମୟରେ ଏହି କର୍ମଚାରୀଙ୍କୁ ସ୍ଥାୟୀ କରିବା କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେମାନଙ୍କୁ ଭବିଷ୍ୟତ ଦୁର୍ଦ୍ଧିନ ମଧ୍ୟକୁ ଠେଲି ହୋଇଯାଇଛି ବୋଲି କର୍ମଚାରୀମାନେ କହୁଛନ୍ତି ।