ଭଙ୍ଗା ଛାତତଳେ କଟୁଛି ଶୈଶବ ଶିକ୍ଷା

Aug 14, 2018 - 20:00
 173
ଭଦ୍ରକ, ୧୪ ଅଗଷ୍ଟ (ହି.ସ.)- ଏହି ଜିଲାର ବନ୍ତ ବ୍ଲକ ·ରିଗାଁ ପଂଚାୟତ ଅନ୍ତର୍ଗତ ଚକ୍ରାପାଢୀ ନୋଡାଲ ସ୍କୁଲର ଛାତ୍ରଛାତ୍ରୀ ବିଦସଙ୍କୁଳ ଅବସ୍ଥାରେ ଭଙ୍ଗା ଛାତ ତଳେ ଶିକ୍ଷା ଗ୍ରହଣ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବାବେଳେ ଗ୍ରାମାଂଚଳର ଶିକ୍ଷାନୁଷ୍ଠାନଗୁଡିକର ଅବସ୍ଥା ଦେଖିଲେ ଶିକ୍ଷା ପ୍ରତି ସରକାରଙ୍କ ଭିତିଭୂମି ସଜାଡିବାରେ ଆନ୍ତରିକତା ନଥିବା ପରି ମନେ ହୁଏ । ୮୦ବର୍ଷ ତଳେ ଏହି ବ୍ଲକର ସୀମାବର୍ତୀ ଅଂଚଳ ଚକରାପାଢୀ ନିର୍ମିତ ଏହି ସ୍କୁଲରେ ପାଖାପାଖି ୩ ଶହ ପିଲା ଅଧ୍ୟୟନ କରୁଛନ୍ତି । ପିଲାଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ଅଭାବ ସାଙ୍ଗକୁ ଗୋଟିଏ କକ୍ଷରେ ୨ଟି ଶ୍ରେଣୀର ପିଲା ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ଶ୍ରେଣୀ କକ୍ଷର ଅବସ୍ଥା ନକହିବା ଭଲ । ଛାତରୁ ପାଣି ଗଳୁଛି ତ କାନ୍ଥଗୁଡିକ ଫାଟି ଅାଁ କଲାଣି । କେତେବେଳେ ଏହା ଅଧ୍ୟୟନରତ ପିଲାଙ୍କ ଉପରେ ଖସିପଡିବ, ତାହା କହିହେବନାହିଁ । ବର୍ଷା ଦିନରେ କାନ୍ଥ ଫାଟରେ ସାପମାନେ ବସା ବାନ୍ଧିଲେଣି । ସ୍କୁଲରେ ଥିବା ଏକମାତ୍ର ନଳକୂପର ଅବସ୍ଥା ତଦ୍ରୁପ । ପ୍ଲାଟଫର୍ମ ନଥିବାରୁ ଜଳ ଦୂଷିତ ହେଉଛି । ଅନ୍ୟପକ୍ଷରେ ତକ୍ରାଳୀନ ପ୍ରଧାନ ଶିକ୍ଷକଙ୍କ ଅବହେଳାରୁ ୪ ବର୍ଷ ହେଲା ସ୍କୁଲରେ ଶିକ୍ଷା କମିଟି ଗଠନ କରାଯାଇ ପାରିନାହିଁ । ଗ୍ରାମର କେତକ ମୁନାଫାଖୋର ଲୋକ ନିଜର ସ୍ୱାର୍ଥ ସାଧନ ପାଇଁ କମିଟି ଗଠନରେ ବାଧକ ସାଜିଥିବା ଅଭିଭାବକ ମହଲରୁ ଜଣା ଯାଇଛି । ତେବେ ବିଦ୍ୟାଳୟର ଭିତିଭୂମି ସଜାଡିବା ଦିଗରେ ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ନଦେଲେ ଅଭିଭାବକମାନେ ବାଧ୍ୟ ହୋଇ ପିଲାଙ୍କୁ ଅନ୍ୟ ସ୍କୁଲରେ ପଢେଇବେ ବୋଲି କ୍ଷୋଭର ସହ କହିଛନ୍ତି । ଏଥିପ୍ରତି ବିଭାଗୀୟ କର୍ତୃପକ୍ଷ ଦୃଷ୍ଟିଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଛି ।