ଅବହେଳିତ ଅବସ୍ଥାରେ ପଡ଼ି ରହିଛନ୍ତି ସ୍ୱାଧିନତା ସଂଗ୍ରାମୀଙ୍କ ପରିବାର

Aug 14, 2018 - 19:58
 193
ହରିଚନ୍ଦନପୁର, ୧୪/୮ (ସକାଳଖବର): ସଂଗ୍ରାମୀ ଆନନ୍ଦ ଦଣ୍ଡପାଟ ଦେଶ ମାତୃକା ପାଇଁ ନିଜ ଜୀବନକୁ ଉସôର୍ଗ କରିଦେଲେ । ଇଂରେଜମାନଙ୍କ ଲାଠିମାଡ଼ ଖାଇ ଜେଲଗଲେ । ଏପରିକି ଭିକ୍ଷାବୃତିକରି ସ୍ୱାଧିନତା ବାବଦରେ ଲୋକମାନଙ୍କୁ ବୁଲି ବୁଲି ସଚେତନ କରୁଥିଲେ । ହେଲେ ନିଜପାଇଁ କିମ୍ବା ନିଜ ପରିବାର ପାଇଁ କିଛି କରିପାରିନଥିବା ସ୍ୱାଧିନତା ସଂଗ୍ରାମୀ ଆନନ୍ଦ ଦଣ୍ଡପାଟ ପରିବାର ଏବେ ଦୁଃଖ ଦୁର୍ଦ୍ଧଶାରେ କାଳ ବିତାଉଛନ୍ତି । ପ୍ରତିମୂର୍ତି ତ ଦୂରକଥା ଅବହେଳିତ ଅବସ୍ଥାରେ ସ୍ୱାଧିନତା ସଂଗ୍ରାମୀଙ୍କ ଗାଁ ରହିଥିବାବେଳେ ଗୁଜୁରାଣ ମେଂଟାଇବା ପାଇଁ ପରିବାର ସଦସ୍ୟ ଏବେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ବେଡ଼ାଦୁମା ସାହି ସ୍ୱାଧିନତା ସଂଗ୍ରାମୀ ଆନନ୍ଦ ଦଣ୍ଡପାଟଙ୍କ ଗ୍ରାମ । ଗ୍ରାମକୁ ପଶିବା ପୂର୍ବରୁ ଗାଁ ଛକରେ ସଂଗ୍ରାମୀଙ୍କ ବୋହୁ ରାସ୍ତା କଡ଼ରେ ମୂଳା ବିକ୍ରି କରୁଥିଲେ । ନାତୁଣି ବୋହୂ ଦିନ ମଜୁରୀ ପାଇଁ ବାହାରକୁ ଯାଇଥିଲେ । ଘର କାନ୍ଥ ଫାଟି ଆଁ କରିଥିବା ବେଳେ ଭଙ୍ଗା ଟାଇଲିରେ ପାଣି ଗଳୁଥିବା କାରଣରୁ ପଲିଥିନି ପକାଯାଇଛି । ଦୁଇଓଳି ଚୂଲି ଜଳାଇବା ପାଇଁ ପରିବାର ଲୋକେ ଦିନ ମଜୁରୀ କରୁଥିବାବେଳେ ରୋଜଗାର ପାଇଁ କୁନିପୁଅ ବାହାର ରାଜ୍ୟରେ ଦାଦନ ଖଟୁଛି । ସରକାର କେବେହେଲେ ବି ଏମାନଙ୍କୁ ମନେ ପକାଉନଥିବା କହିଛନ୍ତି । ଅନ୍ୟପଟେ ସଂଗ୍ରାମୀ ପାଉଥିବା ପେନସନରୁ କିଛି ଅଂଶ ରହିଯାଇଥିବାକୁ ନେଇ ପରିବାର ଲୋକମାନେ ଦୋ÷ଡ଼ି ଦୌଡ଼ି ହାରାଶ ହୋଇଛନ୍ତି । ୧୯୭୨ ମସିହାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଧିରା ଗାନ୍ଧୀ ଏହି ଆଦିବାସୀ ଅଂଚଳର ସ୍ୱାଧିନତା ସଂଗ୍ରାମୀ ଆନନ୍ଦ ଦଣ୍ଡପାଟଙ୍କୁ ଭାରତ ସରକାର ପକ୍ଷରୁ ଏକ ତାମ୍ରପତ୍ର ପ୍ରଦାନ କରିଥିଲେ । ସ୍ୱାଧିନତା ସଂଗ୍ରାମରେ ସେ ଯୋଗଦେଇ ଇଂରେଜ ଲାଠିମାଡ଼ ଖାଇବା ସହ ୬ମାସ ଜେଲ ମଧ୍ୟ ଯାଇଥିଲେ । ସ୍ୱାଧିନତାର ସଚେତନତା କରିବା ପାଇଁ ସେ ଭିକ୍ଷାବୃତି କରି ଗାଁ ଗାଁ ବୁଲୁଥିଲେ । ଦେଶ ମାତୃକା ପାଇଁ ଅନେକ କିଛି କରିଥିବାବେଳେ ନିଜ ପାଇଁ କିମ୍ବା ପରିବାର ପାଇଁ କିଛି କରିପାରିନଥିଲେ । ତାଙ୍କର ମୃତୁ୍ୟପରେ ଶଗଡ଼ପଟା ଗ୍ରାମରେ ତାଙ୍କର ପ୍ରତିମୂର୍ତି ସ୍ଥାପନ ଦୂରର କଥା ଆଜି ପର୍ଯ୍ୟନ୍ତ ସଂଗ୍ରାମୀଙ୍କ ଗ୍ରାମରେ ବିଜୁଳି ଆଲୁଅ କିମ୍ବା ପାନୀୟ ଜଳର ବ୍ୟବସ୍ଥା ନାହିଁ । ଦେଶବାସୀଙ୍କୁ ସ୍ୱାଧିନତାର ସ୍ୱାଦ ଚଖାଇବା ପାଇଁ ନିଜର ସ୍ୱାର୍ଥକୁ ବଳି ପକାଇଥିବା ସଂଗ୍ରାମୀମାନଙ୍କୁ କେବଳ କ୍ରାନ୍ତି ଦିବସରେ ମନେପକାଯାଉଥିବାବେଳେ ସେମାନଙ୍କୁ ସମାଜରେ ସ୍ୱତନ୍ତ୍ର ସମ୍ମାନ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଭୁଲିଯିବା ଅତ୍ୟନ୍ତ ଦୁଃଖଦ ବିଷୟ । ଏବାବଦକୁ ନେଇ ସ୍ଥାନୀୟ ସରପଂଚ କୈକେୟୀ ନାଏକଙ୍କ ଦୃଷ୍ଟି ଆର୍କଷଣ କରିଥିଲୁ । ସେ ଯଥାଶୀଘ୍ର ଉକ୍ତ ପରିବାରକୁ ମୈାଳିକ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।