ବିଜେଡ଼ି ଛାଡ଼ିଲେ ବୈଜୟନ୍ତ

May 28, 2018 - 07:13
 360
ବିଜେଡ଼ି ଛାଡ଼ିଲେ ବୈଜୟନ୍ତ
କଟକ, ୨୮/୫(ସକାଳଖବର): କେନ୍ଦ୍ରପଡ଼ାର ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ଇସ୍ତଫା ଦେଛନ୍ତି । ନିଜ ଇସ୍ତଫାପତ୍ର ସେ ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହାଫଳରେ ବିଜେଡ଼ିରେ ବୈଜୟନ୍ତଙ୍କ ଭବିଷ୍ୟତ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଗତ ଦିନରେ ବୈଜୟନ୍ତ ବିଜେପିର ନିକଟତର ହୋଇଥିବା ବିଜେଡ଼ି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଥିଲା । ପରେପରେ ଦଳ ସହ ବୈଜୟନ୍ତଙ୍କ ସଂପର୍କ ଅଧିକ ତିକ୍ତ ହେଲା ଯେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ପ୍ରତି ଆଙ୍ଗୁଳି ନିଦେ୍ର୍ଧଶ କଲେ । ଏହାକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରି ଯାହାର କୌଣସି ପ୍ରସଙ୍ଗ ନଥାଏ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତି ଆଙ୍ଗୁଳି ଉଠାଇଥାନ୍ତି ବୋଲି କହିଥିଲେ । ବୈଜୟନ୍ତଙ୍କ ସହ ଦଳର ସଂପର୍କ ଏପରି ତିକ୍ତ ହେଲା ଯେ ତାଙ୍କ ପିତା ତଥା ରାଜ୍ୟର ଅଗ୍ରଣୀ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପ୍ରତି ମୃତ୍ୟୁ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟରୁ ମୁଖ୍ୟମନ୍ତ୍ରୀ ଓ ଦଳ ଦୂରେଇ ରହିଥିଲା । ଓଟିଭି ନ୍ୟୁଜ ଚ୍ୟାନେଲକୁ ମଧ୍ୟ ବିଜେଡ଼ି ବର୍ଜନ କରିଛି । ଏହି ଇସ୍ତଫା ପରେ ଏବେ ବୈଜୟନ୍ତ ବିଜେପିରେ ଯୋଗଦେବା କଥା ଅଧିକ ଜୋର ଧରିଛି । ଆନୁଷ୍ଠାନିକ ଭାବେ ବୈଜୟନ୍ତ କେବେ ବିଜେପିରେ ଯୋଗଦେବେ ତାହା ଦେଖିବାର କଥା ।