ଚେନ୍ନାଇ ସୁପର କିଙ୍ଗସ୍‌ ୩ୟ ଥର ହେଲା ଆଇପିଏଲ୍‌ ଚମ୍ପିଅନ୍‌

May 28, 2018 - 05:21
 172
ଚେନ୍ନାଇ ସୁପର କିଙ୍ଗସ୍‌ ୩ୟ ଥର ହେଲା ଆଇପିଏଲ୍‌ ଚମ୍ପିଅନ୍‌
ମୁମ୍ବାଇ: ସେନ୍‌ ଓ୍ଵାଟ୍‌ସନ୍‌ଙ୍କ ବିସ୍ଫୋରକ ଅପରାଜିତ ଶତକ( ୧୧୭ ରନ୍‌, ୫୭ ବଲ, ୧୧ଟି ଚୌକା, ୮ଟି ଛକା) ବଳରେ ଚେନ୍ନାଇ ସୁପର କିଙ୍ଗସ୍‌ ରବିବାର ଏକାଦଶ ସଂସ୍କରଣର ଆଇପିଏଲ୍‌ ମ୍ୟାଚ୍‌ରେ ୩ୟ ଥର ପାଇଁ ଚମ୍ପିଅନ୍‌ ହୋଇଛି। ୧୭୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ୧୮.୩ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୧୮୧ ରନ୍‌ ସଂଗ୍ରହ କରିବା ସହିତ ସନ୍‌ରାଇଜରର୍ସ ହାଇଦ୍ରାବାଦ ବିପକ୍ଷରେ ୮ ଓ୍ଵିକେଟ୍‌ରେ ଫାଇନାଲ୍‌ ମ୍ୟାଚ ଜିତିଛି। ଆରମ୍ଭରୁ ଚେନ୍ନାଇ ମନ୍ଥର ଗତିରେ ଇନିଂସ ଆରମ୍ଭ କରିଥିଲା। ହାଇଦ୍ରାବାଦ ବୋଲରଙ୍କ ଉପରେ ଚେନ୍ନାଇର ଖେଳାଳିମାନେ ପ୍ରଭାବ ବିସ୍ତାର କରିପାରୁ ନଥିଲେ। ୫ ଓଭର ଖେଳ ଶେଷ ହେବା ବେଳକୁ ଗୋଟିଏ ଓ୍ଵିକେଟ ହରାଇ ୨୦ ରନ୍‌ ସଂଗ୍ରହ କରିଥିଲା। ଓପନର୍‌ ଫାପ ଡୁପ୍ଲେସିସ ୧୧ଟି ବଲ ୧୦ ରନ୍‌ ସଂଗ୍ରହ କରିବା ପରେ ଖେଳି ସନ୍ଦିପ ଶର୍ମାଙ୍କ ଦ୍ୱାରା କ୍ୟାଚ୍‌ ହେବା ପରେ ସୁରେଶ ରୈନା ୨୪ଟି ବଲ ଖେଳି ୩୨ ରନ୍‌ ସଂଗ୍ରହ କରିବା ପରେ ବ୍ରେଥେଓ୍ଵଙ୍କ ବଲ ଗୋସ୍ୱାମୀଙ୍କୁ କ୍ୟାଚ୍‌ ଦେଇଥିଲେ। ଅମ୍ବାତି ରାୟଡୁ ୧୯ଟି ବଲ ଖେଳି ଅପରାଜିତ ୧୬ ରନ୍‌ ସଂଗ୍ରହ କରି ପାଭଲିଅନ୍‌ ଫେରିଥିଲେ। ପ୍ରଥମ ଇନିଂସରେ ୟୁସୁଫ ପଠାନ୍‌ଙ୍କ ଅପରାଜିତ ୪୫ ରନ୍‌ ଓ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ହାଇଦ୍ରାବାଦ୍‌ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ ସଂଗ୍ରହ କରିଥିଲା। ଫଳରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଆଇପିଏଲ୍‌ ୧୧ ଟାଇଟଲ୍‌ ବିଜୟ ପାଇଁ ୧୭୯ ରନ୍‌ ବିଜୟ ଟାର୍ଗେଟ୍‌ ମିଳିଥିଲା। ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍‌ ବ୍ୟାଟିଂ କରିଥିଲା। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ହାଇଦ୍ରାବାଦ୍‌ ୧୩ ରନ୍‌ରେ ଶ୍ରୀବତ୍‌ ଗୋସ୍ୱାମୀଙ୍କୁ ହରାଇଥିଲା। ଦଳୀୟ ସ୍କୋର ୬୪ ରନ୍‌ ଥିବା ବେଳେ ଶିଖର ଧାଓ୍ଵାନ୍‌ ଆଉଟ୍‌ ହୋଇଥିଲେ। ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ୩୬ଟି ବଲ୍‌ ଖେଳି ୪୭ ରନ୍‌ ସଂଗ୍ରହ କରିବା ପରେ କର୍ଣ୍ଣ ଶର୍ମାଙ୍କ ବଲକୁ ମହେନ୍ଦ୍ର ସିଂହ ଧୋନି ଷ୍ଟମ୍ପିଙ୍ଗ କରିଥିଲେ। ହାଇଦ୍ରାବାଦ୍‌ ୧୩୩ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ରେ ସାକିବୁଲ ହାସନଙ୍କୁ ହରାଇଥିବାବେଳେ ପଞ୍ଚମ ଓ୍ଵିକେଟ୍‌ରେ ଦୀପକ ହୁଡ଼ା ପାଭଲିଅନ୍‌ ଫେରିଥିଲେ। ହାଇଦ୍ରାବାଦ୍‌ର ଶିଖର ଧାଓ୍ଵନ୍‌ ୨୬ ରନ୍‌, ସାକିବୁଲ ହାସନ ୨୩ ରନ୍‌ ଓ କାର୍ଲୋସ ବ୍ରେଥେଓ୍ଵଟ୍‌ ୨୧ ରନ୍‌ ସଂଗ୍ରହ କରିଥିବା ବେଳେ ଚେନ୍ନାଇର ଲୁଙ୍ଗି ଏନ୍‌ଗିଡି, ଶାର୍ଦ୍ଦୁଲ ଠାକୁର, କର୍ଣ୍ଣ ଶର୍ମା, ଡେ୍ଵନ୍‌ ବ୍ରାଭୋ ଓ ରବୀନ୍ଦ୍ର ଜଦେଜାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।