ଦେଶବ୍ୟାପି ମୋ ପରିବାର ବିଜେପି ପରିବାର ଅଭିଯାନ ଆରମ୍ଭ

Feb 13, 2019 - 05:36
 128
ଭୁବନେଶ୍ୱର, ୧୨/୨(ସକାଳଖବର): ସାରା ଦେଶରେ ଆଜି ମୋ ପରିବାର ଭାଜପା ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଦେଶର ପ୍ରତ୍ୟେକ ବୁଥରେ ଆୟୋଜିତ କରାଯିବ । ବିଜେପି ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ବୁଥରେ ମତଦାତାଙ୍କ ସହ ବସି ମୋଦି ସରକାରଙ୍କ ସଫଳତା ସଂପର୍କରେ ଆଲୋଚନା କରିବେ । ଏଥିସହ ବିଜେପି କାର୍ଯ୍ୟକର୍ତାମାନେ ମୋଦି ସରକାରଙ୍କ ଯୋଜନାରେ ଅର୍ନ୍ତଭୃକ୍ତ ହୋଇଥିବା ଲାଭାର୍ଥୀ ମାନଙ୍କ ଘରକୁ ଯାଇ କେନ୍ଦ୍ର ସରକାରଙ୍କ ଅନ୍ୟ ଜନହିତକର ଯୋଜନା ସଂପର୍କରେ ଅବଗତ କରାଇବା ସହ ବିଜେପି ପତାକା ଏବଂ ବିଜେପି ଷ୍ଟିକର ଲଗାଇବେ । କେନ୍ଦ୍ର ସରକାରଙ୍କ ଯୋଜନାର ଲାଭାର୍ଥୀ ମୋ ପରିବାର ବିଜେପି ପରିବାର ହ୍ୟାସ ଟ୍ୟାଗ ସହ ସୋସିଆଲ ମିଡିଆ ମାଧ୍ୟମରେ ବିଜେପି ପ୍ରତି ସମର୍ଥନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ବିଶ୍ୱାସ ବ୍ୟକ୍ତ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି । ଶ୍ରୀ ପଣ୍ଡା ଆଜି ନୂଆପଡା ନିର୍ବାଚନମଣ୍ଡଳୀ କୁରୁମପୁରୀଠାରେ ‘ମୋ ପରିବାର ବିଜେପି ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ନିଜ ଘରେ ଶ୍ରୀ ପଣ୍ଡା ବିଜେପି ପତାକା ସହ ଷ୍ଟିକର ଲଗାଇବା ସହ କାର୍ଯ୍ୟକର୍ତାମାନଙ୍କ ଘରେ ବିଜେପି ପତାକା ଲଗାଇବାକୁ ଅନୁରୋଧ କରିଛନ୍ତି । ସେହିପରି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓଙ୍କ ସମେତ ରାଜ୍ୟର ସମସ୍ତ ବିଜେପି ନେତୃବୃନ୍ଦ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଦେଶର ୨୨ କୋଟି ଲାଭାର୍ଥୀ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ଉଠାଇଛନ୍ତି । ଏବେ ସୁଦ୍ଧା ଦେଶର କୋଟି କୋଟି ଜନତାଙ୍କ ପାଖରେ ସମସ୍ତ ଯୋଜନା ପହଂଚି ପାରିନାହିଁ । ଯୋଜନାରୁ ବଂଚିତ ଥିବା ଲୋକଙ୍କ ଆର୍ଶିବାଦ ରହିଲେ ପୁଣିଥରେ ମୋଦି ସରକାର ଆସି ସମସ୍ତ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଂଚାଇବେ । ଏହି କାର୍ଯ୍ୟକ୍ରମ ୧୦ ଦିନ ଧରି ଚାଲିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।