ସୁବର୍ଣ୍ଣରେଖା ବନ୍ଦର ଭିତିଭୂମି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ ହେବ -ମୁଖ୍ୟମନ୍ତ୍ରୀ

Feb 14, 2019 - 06:44
 219
ସୁବର୍ଣ୍ଣରେଖା ବନ୍ଦର ଭିତିଭୂମି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ ହେବ -ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୩/୨(ସକାଳଖବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାରେ ବିଭିନ୍ନ ବିକାଶ କାମର ଉଦଘାଟନ ଓ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା ବାଲିଆପାଳର ଚୌମୁଖଠାରେ ସୁବର୍ଣ୍ଣରେଖା ବନ୍ଦରର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡ଼ିଶା ସରକାର ଓ ଟାଟା ଷ୍ଟିଲର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ମୋଟ ୫୦୦୦ କୋଟି ଟଙ୍କା ବିନିଯୋଗ କରାଯିବ । ନିର୍ମାଣ କାର୍ଯ୍ୟ ୪ ବର୍ଷ ମଧ୍ୟରେ ଶେଷ ହେବ । ୧୨,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଶିଳାନ୍ୟାସ ଅବସରରେ ଆୟୋଜିତ ଜନ ସମାବେଶକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ, ଓଡ଼ିଶା ତାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ପାଇଁ ପ୍ରସିଦ୍ଧ । ଆମର ସାଧବ ପୁଅ ମାନେ ବିଭିନ୍ନ ଦେଶକୁ ଯାଇ ବଣିଜ କରୁଥିଲେ ଏବଂ ରାଜ୍ୟ ପାଇଁ ସମୃଦ୍ଧି ଆଣୁଥିଲେ । ଓଡ଼ିଶାର ନୌବାଣିଜ୍ୟର ଅତୀତ ଗୌରବ ଫେରାଇ ଆଣିବା ପାଇଁ ମହାନ୍ ଜନନାୟକ ବିଜୁ ବାବୁ ୬୦ ଦଶକରେ ଏକ ସାହସିକ ନିଷପତି ନେଇ ପାରାଦୀପ ବନ୍ଦର କାମ ଆରମ୍ଭ କରିଥିଲେ । ଆଜି ପାରାଦୀପ ଦେଶର ଏକ ବଡ଼ ବନ୍ଦର ଭାବରେ ପରିଗଣିତ । ବିଜୁବାବୁଙ୍କ ପ୍ରଦର୍ଶିତ ମାର୍ଗରେ ଯାଇ ରାଜ୍ୟ ସରକାର ଓଡ଼ିଶାରେ ବନ୍ଦର ଭିତିଭୂମିର ବିକାଶ ପାଇଁ ସଂକଳ୍ପବଦ୍ଧ । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସରକାର ଧାମରା ଓ ଗୋପାଳପୁର ପରି ଦୁଇଟି ବଡ଼ ବନ୍ଦରକୁ କାର୍ଯ୍ୟକ୍ଷମ କରିଥିବା ବେଳେ ସୁବର୍ଣ୍ଣରେଖା ବନ୍ଦର ଏହି ପର୍ଯ୍ୟାୟରେ ଆମ ଭିତିଭୂମି ବିକାଶର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ, ସପ୍ତଦଶ ଶତାବ୍ଦୀରେ ବାଲେଶ୍ୱର ମଧ୍ୟ ନୌବାଣିଜ୍ୟ କ୍ଷେତ୍ରରେ ବହୁତ ସକି୍ରୟ ରହିଥିଲା । ସୁବର୍ଣ୍ଣରେଖା ବନ୍ଦର ଦ୍ୱାରା ବଙ୍ଗଳା, ଝାରଖଣ୍ଡ, ବିହାର ଓ ଉତରପ୍ରଦେଶ ପରି ରାଜ୍ୟ ସମେତ ବଙ୍ଗଳାଦେଶ, ନେପାଳ ଏବଂ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶମାନେ ମଧ୍ୟ ବନ୍ଦର ସୁବିଧା ପାଇପାରିବେ । ପ୍ରାଥମିକ ସ୍ତରରେ ଏିହ ବନ୍ଦର ୨୫ ମିଲିଅନ ଟନ୍ ମାଲ ପରିବହନ କରିବ ଏବଂ ପରବର୍ତୀ ପର୍ଯ୍ୟାୟରେ ଏହାକୁ ୫୫ ଟନକୁ ବୃଦ୍ଧି କରାଯିବ । ଏହି ବନ୍ଦରରେ ୧୨ଟି ବର୍ଥ ରହିବ । ଚୁକ୍ତି ଅନୁଯାୟୀ ବୁଷ୍ଟ ମଡେ଼ଲରେ ରାଜସ୍ୱ ଆବଂଟନ କରାଯିବ । ଏହି ବନ୍ଦର ଓଡ଼ିଶାରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହିତ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାଲେଶ୍ୱର ରିଂଗରୋଡ଼ ଓ ସେତୁ ଆଦି ୬୯୧ କୋଟି ଟଙ୍କାର ଅନ୍ୟ ୩୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ ।