ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Dec 19, 2018 - 17:05
 217
ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ମାଲକାନଗିରି, ୧୯ /୧୨(ସକାଳଖବର): ମାଲକାନଗିରି ସଦର ମହକୁମା ଅନ୍ତର୍ଗତ ଝାଟିମାଟି କଲୋନୀରେ ମେସ୍ କରି ରହୁଥିବା ୫ ଜଣ ଛାତ୍ରୀଙ୍କ ମଧ୍ୟରୁ ଆଜି ଓର୍କେଲ ଥାନା ଅଧିନ ଏମଭି - ୫୦ ଗ୍ରାମର ସ୍ନିଗ୍ଧା ମଣ୍ଡଳ (୧୭)ଙ୍କ ମୃତଦେହ ରୁମ୍ ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସ୍ନିଗ୍ଧା ସହିତ ଅନ୍ୟ ୪ ଜଣ ଛାତ୍ରୀ ମେସ୍ କରି ଏଠାରେ ରହୁଥିଲେ । ଏମାନେ ସମସ୍ତେ ନିକଟସ୍ଥ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢୁଥିଲେ । ଆଜି ପୂର୍ବାହ୍ନରେ ୪ ଜଣ ଝିଅ କଲେଜକୁ ପରୀକ୍ଷା ଦେବାକୁ ବାହାରିବା ବେଳେ ସ୍ନିଗ୍ଧାଙ୍କୁ ଡାକିଥିଲେ । ସେ ଡ୍ରେସ୍ ପିନ୍ଧି ବାହାରିଥିଲେ, କିନ୍ତୁ ପରେ ଦେହ ଭଲ ଲାଗୁନାହିଁ କହି ରହିଯାଇଥିଲେ । ରୁମ୍ ରେ ତାଙ୍କୁ ଏକାକୀ ଛାଡି ଅନ୍ୟ ୪ ଜଣ ଛାତ୍ରୀ ପରୀକ୍ଷା ଦେବାକୁ ଯାଇଥିଲେ । ସେମାନେ ପରୀକ୍ଷା ଦେଇ ମେସ୍ କୁ ଫେରିବା ପରେ ରୁମ୍ ରେ ସ୍ନିଗ୍ଧାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ଛାତ୍ରୀମାନେ ଏ ସମ୍ପର୍କରେ ପାଖ ପଡେ଼ାଶୀଙ୍କୁ ଜଣାଇବା ସହ ସ୍ନିଗ୍ଧାଙ୍କ ପରିବାର ଲୋକଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାତ୍ରୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।