ବିଶୁଦ୍ଧ ପାନୀୟଜଳ ପାଉନାହାନ୍ତି ବୌଦ୍ଧବାସୀ

Dec 19, 2018 - 18:35
 170
ବିଶୁଦ୍ଧ ପାନୀୟଜଳ ପାଉନାହାନ୍ତି ବୌଦ୍ଧବାସୀ
ବୌଦ୍ଧ,୧୯/୧୨(ସକାଳଖବର): ଓଡିଶାର ଲାଇଫ ଲାଇନ କୁହାଯାଉଥିବା ମହାନଦୀ ଏବେ ଶୁଖିଲା ପଡିଲାଣି । ଏହି ମହାନଦୀ କୂଳରେ ରହିଛି ବୌଦ୍ଧ ସହର । କିନ୍ତୁ କୂଳରେ ଥାଇ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ପାଇବା ସହର ବାସୀଙ୍କ ପାଇଁ ଏକ ସ୍ୱପ୍ନରେ ପରିଣତ ହେଲାଣି । ବିଶୁଦ୍ଧ ପାନୀୟ ଜଳ ପାଇବା ପରିବର୍ତେ ଜଳଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ଦୁଷିତ ଜଳକୁ ବ୍ୟବହାର କରିବାକୁ ସହରବାସୀ ବାଧ୍ୟ ହେଉଛନ୍ତି । ଏପରି ପରିସ୍ଥିତିରେ ସମ୍ବଲପୁର ଓ ସୋନପୁର ଭଳି ଜଣ୍ଡିସ୍ ଓ ହଇଜା ବ୍ୟାପିବା ଭଳି ପରିସ୍ଥିତି ଯେ ସୃଷ୍ଟି ନହେବ ତାହା କିଏ କହିବ । ବୌଦ୍ଧ ସହର ବାସୀ ଏହି ମହାନଦୀର ପାଣିକୁ ନେଇ ଦୈନନ୍ଦିନ ଜୀବନ ବିତାଇବା ସହ ଏହାର ପାଣିକୁ ପିଇବାପାଣୀ ଭାବେ ସହରବାସୀ ବ୍ୟବହାର କରିଥାନ୍ତି । କିନ୍ତୁ ଏବେଠୁ ମହାନଦୀରେ ପାଣି ନଥିବାରୁ ଚିନ୍ତାରେ ବୁଦ୍ଧିଜୀବୀ । ଏହାକୁ ଏବେଠୁ ସମାଧାନ କରାନଗଲେ ଆଗକୁ ସହର ବାସୀ ଜଳକଷ୍ଟ ଭୋଗିବା ସହ ବହୁ ହଇରାଣ ହେବେ । ବୌଦ୍ଧ ସହରର ପାନୀୟଜଳ ସମସ୍ୟାର ସମାଧାନ କରିବା ପାଇଁ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲାପାଳ ଶିତାଂଶୁ କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସାମ୍ବାଦିକ ସଂଘର ସଭାପତି ସଂପଦ କୁମାର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟ ଠାରେ ଏକ ଜରୁରୀ ବୈଠକ ଡକାଯାଇ ବୌଦ୍ଧ ସହରବାସୀଙ୍କ ପାଇଁ ସୃଷ୍ଟି ହୋଇଥିବା ପାଣି ସମସ୍ୟା ନେଇ ଆଲୋଚନା କରାଯାଇଥିଲା । ସଦସ୍ୟମାନଙ୍କ ମତ ଗ୍ରହଣ କରିବା ପରେ ସାମ୍ବାଦିକ ସଂଘର ସଦସ୍ୟମାନେ ଜିଲାପାଳଙ୍କୁ ସାକ୍ଷାତ କରି ପାନୀୟଜଳ ସମସ୍ୟା ସଂପର୍କରେ ଆଲୋଚନା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବୌଦ୍ଧଠାରେ ମହାନଦୀ ମରୁଭୂମି ପାଲଟିବାକୁ ବସିଲାଣି । ନଦୀ ଗର୍ଭରେ ଯୁଆଡେ ଚାହିଁଲେ କେବଳ ବିସ୍ତିର୍ଣ୍ଣ ବାଲୁକାରାଶି ହିଁ ଦୃଷ୍ଟି ଗୋଚର ହେଉଅଛି । ବାଲିରେ ଚୁଆଁ ଖୋଳି ସହରବାସୀଙ୍କୁ ଯୋଗାଣ ହେଉଥିବା ପାନୀୟଜଳ ଭୟଙ୍କର ଭାବରେ ପ୍ରଦୁଷିତ । ସାଧାରଣଲୋକ ଆଖିରେ ଦେଖିଲେ ସେହି ଜଳକୁ କେବେ ମଧ୍ୟ ପାନୀୟଜଳ ଭାବରେ ଗ୍ରହଣ କରିପାରିବେ ନାହିଁ । ପାନୀୟଜଳ ଯୋଗାଣ ହେଉଥିବା ସ୍ଥାନର ଉପର ମୁଣ୍ଡରେ ମାଛ ମାର୍କେଟ ଏବଂ ପମ୍ପ ହାଉସ ର ଠିକ ତଳକୁ ସହରର ଆବର୍ଜନା ଜଳ ନିଷ୍କାସିତ ହେଉଅଛି । ନଦୀରେ ଜଳଧାର ନଥିବାରୁ ବାଲିରେ ଚୁଆଁ ଖୋଳି ସହରବାସୀଙ୍କୁ ଏହି ସ୍ଥାନରୁ ପାନୀୟଜଳ ଯୋଗାଇ ଦିଆଯାଉଛି । ଜଳ ଯୋଗାଣ ସ୍ଥାନରେ ସାଧାରଣଲୋକ ଗାଧୋଇବା ସହିତ ଶୌଚ ହେଉଥିବାବେଳେ ଚାରିପଟ ଖୋଲା ପାଇଖାନା ପାଲଟିଛି । ବାଲି ଚୂଆଁର ଜଳକୁ ସାମାନ୍ୟ ବ୍ଲିଚିଂ ଓ ଆଲମ ପ୍ରୟୋଗ ପରେ ସହରବାସୀଙ୍କୁ ପାନୀୟଜଳ ଭାବରେ ଯୋଗାଇ ଦିଆଯାଉଅଛି । ବର୍ତମାନ ଠାରୁ ଚିନ୍ତା କରାନଗଲେ ଆଗାମୀ ଗ୍ରୀଷ୍ମରେ ବୌଦ୍ଧବାସୀଙ୍କୁ ଭୀଷଣ ପାନୀୟଜଳ ସଙ୍କଟର ସମ୍ମୁଖିନ ହେବାକୁ ପଡିବ ଏଥିରେ କୌଣସି ସନେ୍ଦହ ନାହିଁ । ଏହିଭଳି ଘଡିସନ୍ଧି ମୂହୁର୍ତ୍ତରେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ଶିତାଂଶୁ କୁମାର ରାଉତଙ୍କୁ ସାକ୍ଷାତ କରି ବୌଦ୍ଧ ସହରବାସୀଙ୍କ ପାନୀୟଜଳ ସମସ୍ୟା ନେଇ ଉଦବେଗ ପ୍ରକାଶ କରିବା ସହିତ ଏହାର ତୁରନ୍ତ ସମାଧାନ କରାଯିବାକୁ ଦାବି ରଖିଛନ୍ତି । ବୌଦ୍ଧର ସଚେତନ ନାଗରିକଙ୍କ ପକ୍ଷରୁ ମଧ୍ୟ ଅନରୂପ ଏକ ଦାବିପତ୍ର ଜିଳାପାଳଙ୍କୁ ପ୍ରଦାନ କରାଯାଇଛି । ଅଭିଯୋଗ ପାଇବାପରେ ଜିଲାପାଳ ଶ୍ରୀରାଉତ ବ୍ୟକ୍ତିଗତ ଭାବରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ତଦାରଖ କରିଥିଲେ । ମହାନଦୀରେ ବୌଦ୍ଧ ସହର ପଟକୁ ଜଳାଧାର ନଥିବାରୁ ମେସିନ ସାହାଯ୍ୟରେ ବାଲିଖୋଳି ଅପରପାଶ୍ୱର୍ରୁ ଜଳଧାରକୁ ଆଣିବାକୁ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ତେବେ ସହରର ଉପରମୁଣ୍ଡରେ ପାଣି ପାଇଁ ମେସିନ ଲଗାଇ ବାଲି ଖୋଳା ଯାଇଥିଲେ ମଧ୍ୟ ଏହା ବିଫଳ ହୋଇଥିବାରୁ ଅନ୍ୟ ସ୍ଥାନରେ ଖୋଳାଯାଇ ଜଳାଧାର ଆଣିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜିଲାପାଳଙ୍କ ସହିତ ଉପଜିଲାପାଳ ଏନସି ଜ୍ୟୋତି ରଂଜନ ନାଏକ, ଏନଏସି ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା,ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ନିରଂଜନ ସାହୁ, ବରିଷ୍ଠ ଆଇନଜିବୀ ତାରେଣୀ ମହାପାତ୍ର,ସାମ୍ବାଦିକ ସଂଘ ସଂପାଦକ ଶଶାଙ୍କ ମିଶ୍ର,ସାମ୍ବାଦିକ ଦେବାଶିଷ ପୁରୋହିତ ପ୍ରମୁଖ ମହାନଦୀ କୂଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏହାବ୍ୟତୀତ ସାମ୍ବାଦିକ ସଂଘ ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଓ ଜିଲାରେ ଖାଲିଥିବା ସୂଚନା ଓ ଲୋକସଂପର୍କ ଅଧିକାରୀ ପଦବୀ ତୁରନ୍ତ ପୂରଣ କରିବାକୁ ଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ । ସାମ୍ବାଦିକ ସଂଘର ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମନୋରଂଜନ ଦାଶ, ପ୍ରମୋଦ କୁମାର ବାଘ, ଅଜିତ କୁମାର ବାରିକ୍, ସନ୍ତୋଷ କୁମାର ସିଂହଦେଓ, ପ୍ରଣତି ପଣ୍ଡା, ରବିନ୍ଦ୍ର ପଟ୍ଟନାୟକ, ପ୍ରତାପ କୁମାର ମହପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।