ଚାଷୀମାନଙ୍କୁ କଳା କନା ବୁଲାଇବା ପରେ କାଳିଆ ଯୋଜନା : ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୨ ଡିସେମ୍ବର - ରାଜ୍ୟର ଦୀର୍ଘ ଦିନର ବିଜେଡି ଶାସନରେ ଚାଷୀ ମାନଙ୍କୁ କଳା କନା ବୁଲାଇ ଦିଆ ଯାଇଛି । ଏହା ପରେ ରାଜ୍ୟ ସରକାରଙ୍କର ଚାଷୀଙ୍କୁ ସହଯୋଗର ହାତ ବଢାଇବା ପାଇଁ କାଳିଆ ଯୋଜନା ବୁଢା ବାଘର କଙ୍କଣ ଦାନ ଉପାଖ୍ୟାନ ପରି ଲାଗୁଛି । ଓଡିଶାର ଚାଷୀ ମାନେ ଆଜି ୧୯ ବର୍ଷର ନବୀନ ସରକାରଙ୍କୁ ଜବାବ ମାଗୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଏବେବି ରାଜ୍ୟରେ ୯୦ରୁ ଅଧିକ ବ୍ଲକରେ ୩୫ ପ୍ରତିଶତରୁ କମ ଜଳସେଚନ ସୁବିଧା ଉପଲବ୍ଧ ଅଛି । ଏହା ହେଉଛି ରାଜ୍ୟ ବିଧାନସଭାରେ ସରକାରଙ୍କ ସ୍ୱୀକାରୋକ୍ତି । ୨୦୦୦ ମସିହାରେ ୨୫ ପ୍ରତିଶତ ଅଧିକ ଜମିକୁ ଜଳସେଚନ ସୁବିଧା ଦେବା, ୨୦୦୪ରେ ଆଉ ୨୫ ପ୍ରତିଶତ ଜମିକୁ, ୨୦୦୯ରେ ପ୍ରତି ବ୍ଲକର ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଦେବା ଓ ୨୦୧୪ରେ ପାଂଚ ବର୍ଷ ମଧ୍ୟରେ ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଦେବାର ପ୍ରତିଶ୍ରୁତି ବନାମ ଆଜିର ଜଳସେଚନର ସ୍ଥିତି ସମ୍ପର୍କରେ ସ୍ପଷ୍ଟତା ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରୁଛି ବୋଲି ସେ ଉଲ୍ଳେଖ କରିଛନ୍ତି ।
ବିଜୁ କୃଷକ ବିକାଶ ଯୋଜନାରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଜଳ ସେଚନ ପାଇଁ ୫୭, ୬୩୨ଟି ନଳକୂପ ଖନନ କାମ ଶେଷ ହୋଇଥିବା କଥା କହିଥିବା ବେଳେ ସେଥିରୁ ମାତ୍ର ୨୬ ହଜାର ୩୩୮ଟିରେ ବିଦ୍ୟୁତକରଣ ସମ୍ପୂର୍ଣ ହୋଇଥିଲା ବୋଲି ସ୍ୱୀକାର କରିଥିଲେ । ଏହା ରାଜ୍ୟ ସରକାରଙ୍କର କି ପ୍ରକାରର ପାରିବା ପଣିଆ ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ମାତ୍ର ୫ଟି ସରକାରୀ ଶୀତଳ ଭଣ୍ଡାର ଅଛି । ଯାହାର କ୍ଷମତା ହେଉଛି ମାତ୍ର ୧୮,୫୦୦ ମେଟ୍ରିକ ଟନ । ରାଜ୍ୟରେ ୨୦୦୦ ମସିହା ବେଳକୁ ରାଜ୍ୟରେ ସମବାୟ ବିଭାଗର ୫ ଗୋଟି ସଚଳ ଓ ୧୨ ଗୋଟି ଅଚଳ ଶୀତଳ ଭଣ୍ଡାର ଥିଲା ଓ ଏବେ ସେଇ ସମାନ ୫ ଗୋଟି ସଚଳ ଓ ୧୩ ଗୋଟି ଶୀତଳ ଭଣ୍ଡାର ଅଚଳ ଥିବା ରାଜ୍ୟ ସରକାର ବିଧାନସଭାରେ ଦେଇଛନ୍ତି । ଦୀର୍ଘ ୧୯ ବର୍ଷ ଶାସନ ପରେ ମଧ୍ୟ କୃଷି ଉପôାଦନର ସଂରକ୍ଷଣ ବ୍ୟବସ୍ଥା ହୋଇ ନ ପାରିବା ଅପାରଗତାର ପ୍ରମାଣ ।
ବିଭିନ୍ନ ଜିଲ୍ଲାରେ କେତେଜଣ ଭୂମିହୀନ ଲୋକ ଭାଗଚାଷ କରି ନିଜର ଜୀବିକା ନିର୍ବାହ କରୁଛନ୍ତି ଏହାର ତଥ୍ୟ ସରକାରଙ୍କ ପାଖେ ନାହିଁ ଏକଥା ରାଜ୍ୟ ସରକାର ନିଜେ ବିଧାନସଭାରେ ମାନିଛନ୍ତି । ଏବେ କେଉଁ ଆଧାରରେ ଭାଗଚାଷୀମାନଙ୍କୁ କାଳିଆ ଯୋଜନାରେ ସହୟତା ଦେବେ ? ବିନା ଭାଗଚାଷୀ ଗଣନାରେ ସରକାର ଏହି ଯୋଜନାକୁ କିପରି ପ୍ରଣୟନ କରିବେ ? ଜଣେ ଚାଷୀର ଚାଷରୁ ଆୟରେ ଓଡିଶା ହେଉଛି ଦେଶର ତଳ ଆଡୁ ଦ୍ୱିତୀୟ । ମାସକୁ ମାତ୍ର ୧୪୦୭ ଟଙ୍କା ହେଉଛି ଜଣେ ଓଡିଆ ଚାଷୀର ରୋଜଗାର ।
ଓଡିଶାର ସଦ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି ଯେ ଓଡିଶାର ପାଖାପାଖି ୭୦ ପ୍ରତିଶତ ଲୋକ କୃଷି ଓ କୃଷି ସମ୍ପର୍କିତ କାମରେ ନିୟୋଜିତ ଥିବା ବେଳେ ସେମାନଙ୍କର ଅର୍ଥନୀତିରେ ଯୋଗଦାନ ମାତ୍ର ୧୫ ପ୍ରତିଶତ । ୧୯ ବର୍ଷ ଶାସନ ପରେ କୃଷକର ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତର ଦାୟିତ୍ୱ ନେଉ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।