କିଷାନ କଂଗ୍ରେସର ବିଶାଳ ଚାଷୀ ସମାବେଶ

Dec 23, 2018 - 14:12
 145
କିଷାନ କଂଗ୍ରେସର ବିଶାଳ ଚାଷୀ ସମାବେଶ
ଭୁବନେଶ୍ୱର, ୨୩/୧୨(ସକାଳଖବର): ରାଜ୍ୟରେ ଚାଷ ଓ ଚାଷୀର ବିକାଶ ନାଁରେ ବିଜେଡ଼ି ଓ ବିଜେପି ସରକାର କେବଳ ଚାଷୀଙ୍କୁୁ ଭୁଆଁ ବୁଲାଇବା ସହିତ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଉଭୟ ସରକାରର ବିଭିନ୍ନ ଯୋଜନା ଓ ଘୋଷଣା ବାସ୍ତବଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଦିନକୁ ଦିନ ଚାଷୀଙ୍କ ଦୁସ୍ଥିତି ବଢ଼ିବାରେ ଲାଗିଥିବା ବେଳେ ସରକାର ଏଥି ପ୍ରତି ସମ୍ବେଦନ ନୁହନ୍ତି । ଚାଷୀ ଉପôାଦନ ଖର୍ଚ୍ଚର ଉଚିତ୍ ମୂଲ୍ୟ ପାଉ ନାହିଁ । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀ ଠିକଣା ସମୟରେ କୃଷି ଇନ୍ପୁଟ ସବସିଡ଼ ଓ ବୀମା ସହାୟତା ପାଉ ନାହାନ୍ତି । ପନିପରିବା ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ଓ କୃଷିଜାତ ଦ୍ରବ୍ୟ ବିକ୍ରିବଟା ପାଇଁ କୌଣସି ସୁ ବିପଣନ ବ୍ୟବସ୍ଥା ନାହିଁ । ଫଳରେ ଚାଷ ଛାଡ଼ି ଚାଷୀ ଦାଦନ ପନ୍ଥାକୁ ଆବରେଇ ନେଇଛି । ଏଭଳି ସଙ୍ଗୀନ ପରିସ୍ଥିତିରେ ଉଭୟ ସରକାର ଚାଷୀଙ୍କ ପାଇଁ ସାହା ଓ ଭରଷା ହେବା ପରିବର୍ତେ ସେମାନଙ୍କୁ ଉପେକ୍ଷା କରି ଚାଲିଛନ୍ତି । ଏହାର ପ୍ରତିବାଦରେ ଗତକାଲି ବାଲେଶ୍ୱର ଜିଲ୍ଲାର ବସ୍ତାଠାରେ କିଷାନ କଂଗ୍ରେସ ତରଫରୁ ବ୍ଲକ କିଷାନ କଂଗ୍ରେସ ସଭାପତି ନରେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଏକ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏହି ସମାବେଶରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ କଂଗ୍ରେସ ରାଜ୍ୟ ସଭାପତି ଅମୀୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ଚାଷ ଓ ଚାଷୀ ବିରୋଧୀ ତୃଟିପୂର୍ଣ୍ଣ କୃଷିନୀତିର ତୀବ୍ର ନିନ୍ଦା କରିଥିଲେ । ସରକାର ଆଜି ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି । ଗ୍ରାମାଂଚଳର କୃଷି ଭିତିଭୂମି ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ନିକଟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ କଂଗ୍ରେସ ସରକାର କ୍ଷମତାକୁ ଆସିବାର ଅଳ୍ପ ସମୟ ମଧ୍ୟରେ ଚାଷୀଙ୍କ ସମସ୍ୟାକୁ ସଠିକ୍ ହୃଦୟଙ୍ଗମ କରି ଚାଷୀଙ୍କଠାରୁ କୃଷି ଋଣ ଛାଡ଼ ଓ ଛତିିଶଗଡ଼ ସରକାର ଧାନର ନିର୍ଦ୍ଧାରିତ ସହାୟକ ମୂଲ୍ୟ ଉପରେ ଅଧିକ ୭୫୦ ଟଙ୍କା ବୋନସ୍ ଦେଇ ଧାନ କ୍ୱିଂଟାଲ ୨୫୦୦ ଟଙ୍କାରେ କିଣୁଛନ୍ତି । କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିବା ଧାନରେ ୧୦୦ ଟଙ୍କା ବୋନସ୍ ଓ ଚାଷୀଙ୍କୁ ମାଗଣା ବିଜୁଳି ଯୋଗାଣ ଗଲା କୁଆଡେ଼? ଦେଶ ଓ ରାଜ୍ୟର ଚାଷ ଓ ଚାଷୀର ବିକାଶ ପାଇଁ କଂଗ୍ରେସ ସରକାର ହିଁ ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି । ଉକ୍ତ ସମାବେଶରେ ପିସିସି କିଷାନ କଂଗ୍ରେସ ଉପ ସଭାପତି ତଥା ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ, ପିସିସି ସାଧାରଣ ସମ୍ପାଦକ ସଞ୍ଜୀବ ଗିରି, ଯୁବ କଂଗ୍ରେସ ସଭାପତି ସୁଧାଂଶୁ ଶେଖର ଜେନା, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରଞ୍ଜାପରମିତା ମହାନ୍ତି, ଜିଲ୍ଲା କିଷାନ କଂଗ୍ରେସ ସଭାପତି ନିରଞ୍ଜନ ବେହେରା, କାର୍ଯ୍ୟକାରୀ ସଭାପତି କାର୍ତିକ ଦାସ ପ୍ରମୁଖ କୃଷକ ସମସ୍ୟା ଉପରେ ମତବ୍ୟକ୍ତ କରିଥିଲେ ।