ବିଜେଡି କ୍ଷମତାକୁ ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଦୁଇଟି କିସ୍ତି ଦିଆ ଯିବ- ମୁଖ୍ୟମନ୍ତ୍ରୀ

Apr 7, 2019 - 06:06
 177
ଭୁବନେଶ୍ୱର, ୬/୪(ସକାଳଖବର): ବିଜେଡି କ୍ଷମତାକୁ ଆସିବାର ପ୍ରଥମ ଦିନରେ କାଳିଆ ଯୋଜନାରେ ଟଙ୍କା ପାଇ ନ ଥିବା ଚାଷୀ ମାନଙ୍କୁ ଦୁଇଟି କିସ୍ତିର ପଇସା ଏକା ସଙ୍ଗରେ ଦିଆ ଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଅନ୍ୟ ପକ୍ଷରେ ତାଙ୍କର ଶେଷ ନିଶ୍ୱାସ ଚାଲିଥିବା ଯାଏ ସେ ଓଡିଶାବାସୀଙ୍କର ସେବା କରି ଚାଲିବି ବୋଲି ସେ କହିଛନ୍ତି । ନବରଙ୍ଗପୁର ଷ୍ଟାଡିୟମ ଠାରେ ଆୟୋଜିତ ବିଜେଡିର ସାଧାରଣ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜେଡିର ନିର୍ବାଚନ ଇସ୍ତାହାରରେ ଚାଷୀର କଲ୍ୟାଣ ଏକ ନମ୍ବର ଏଜେଣ୍ଡାରେ ରହିଛି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦିଆ ଯାଇଥିବା ବେଳେ ଅବଶିଷ୍ଟ ୨୫ ଲକ୍ଷ ଚାଷୀଙ୍କୁ ଏହି ଅର୍ଥ ପ୍ରଦାନ କରା ଯିବ ବୋଲି ସେ କହିଛନ୍ତି । ଅପର ପକ୍ଷରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ଓଡିଶାକୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବହେଳା କରା ଯାଇଛି । ଚାଷୀ ବୀମା ଯୋଜନାରେ ଓଡିଶାର ଚାଷୀଙ୍କୁ କଣ ପାଇଁ ହଇରାଣ କରା ଯାଉଛି । ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ କୃଷି ସାମଗ୍ରୀ ଉପôାଦର ଦୁଇ ଗୁଣା ଏମଏସପି ବୃଦ୍ଧି କୁଆଡେ ଗଲା ଓ ଏସସି-ଏସଟିପିଲା ମାନଙ୍କୁ ଛାତ୍ର ବୃତି କଣ ପାଇଁ ବନ୍ଦ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ପୋଲାଭରମ ପ୍ରକଳ୍ପ କାହା ସ୍ୱାର୍ଥରେ, ସବୁ ଖେତକୁ ପାଣି ଯୋଗାଇ ଦେବାର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଭିନ୍ନ ଦଳର କେନ୍ଦ୍ର ନେତା ମାନେ ନବରଙ୍ଗପୁର କେତେଥର ଆସିଛନ୍ତି ବୋଲି ସେ କହିଛନ୍ତି । କେବଳ ଭୋଟ ଭିକ୍ଷା କରିବାକୁସେମାନେ ଆସୁଛନ୍ତି ବୋଲି ସେ କହିଛନ୍ତି । ବିଜେଡି ଲୋକଙ୍କର ସେବା କରି ଆସୁଛି ଓ ଆଗାମୀ ଦିନରେ କରିବ ବୋଲି ସେ କହିଛନ୍ତି । ବିକାଶ ହେଉଛି ବିଜେଡିର ମୂଳ ମନ୍ତ୍ର ଓ ସବୁ ବର୍ଗର ଲୋକ ମାନଙ୍କର ବିକାଶ ପାଇଁ ତାଙ୍କ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ସଭାରେ ମନ୍ତ୍ରୀ ରମେଶ ମାଝୀ, ଅରବିନ୍ଦ ଢାଲି ଓ ମୁନ୍ନା ଖାଁ ମଧ୍ୟ ଉପସ୍ଥିତ ଥିଲେ । ସେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଉଦବୋଧନ ଦେଇଥିଲେ ।