ଚଳନ୍ତା ଲିଫ୍‌ଟ୍‌ କବାଟରେ ଚାପି ହୋଇ ଶିକ୍ଷୟିତ୍ରୀ ମୃତ

Sep 18, 2022 - 06:50
 42
ଚଳନ୍ତା ଲିଫ୍‌ଟ୍‌ କବାଟରେ ଚାପି ହୋଇ ଶିକ୍ଷୟିତ୍ରୀ ମୃତ
ମୁମ୍ବାଇ: ମାଲ୍‌ଦାସ୍ଥିତ ଏକ ସ୍କୁଲ୍‌ ଲିଫ୍‌ଟ୍‌ରେ ଚାପି ହୋଇ ‌ଜଣେ ୨୬ ବର୍ଷୀୟ ଶିକ୍ଷୟିତ୍ରୀ ପ୍ରାଣ ହରାଇଥିବା କଥା ପୁଲିସ କହିଛି। ସଂଗୃହୀତ ସୂଚନା ଅନୁସାରେ, ଅଘଟଣଟି ଉତ୍ତର ମୁମ୍ବାଇ ଅନ୍ତର୍ଗତ ମାଲାଡ଼ ଉପନଗରୀର ଚିଞ୍ଚୋଲି ବୁନ୍ଦେର୍‌ ଅଞ୍ଚଳରେ ଥିବା ସେଣ୍ଟ୍‌. ମେରିଜ୍‌ ଇଂଲିସ୍‌ ମିଡିୟମ୍‌ ସ୍କୁଲ୍‌ରେ ଘଟିଛି। ପୁଲିସ କହିବା ଅନୁସାରେ, ଦ୍ବିତୀୟ ତାଲାରେ ଥିବା ‘ଷ୍ଟାଫ୍‌ ରୁମ୍‌’କୁ ଯିବା ପାଇଁ ୬ ତାଲାରେ ଅପେକ୍ଷା କରିଥିବା ଶିକ୍ଷୟିତ୍ରୀ ଜିନେଲ୍‌ ଫର୍ଣ୍ଣାଣ୍ଡେଜ୍‌ ଦିନ ପ୍ରାୟ ୧ଟା ବେଳେ ଲିଫ୍‌ଟ୍‌ରେ ପ୍ରବେଶ କରିଥିଲେ ବୋଲି ପୁଲିସ କହିଛି। ‘ସିସିଟିଭି’ ଫୁଟେଜ୍‌ରେ ଦେଖାଯାଉଛି ଫର୍ଣ୍ଣାଣ୍ଡିଜ୍‌ ଲଫିଟ୍‌ଦ୍ବାରରେ ପାଦ ଦେଉ ଦେଉ କବାଟ ପଡ଼ିଗଲା। ଠିକ୍‌ ଭାବେ ବନ୍ଦ ହୋଇ ନ ଥିବା ଲିଫ୍‌ଟ୍‌ କବାଟରେ ତାଙ୍କ ଭ୍ୟାନିଟ୍‌ ବ୍ୟାଗ୍‌ ଚାପି ହୋଇ ରହିଗଲା। ଲିଫ୍‌ଟ୍‌ ଚାଲିବାରୁ ସେ ଘୋଷାଡ଼ି ହୋଇ ତଳକୁ ଚାଲିଯାଇଥିଲେ ଓ ତାଙ୍କ ମୁଣ୍ଡ ଛେଚି ହୋଇଯାଇଥିଲା। ସ୍କୁଲ୍‌ କର୍ମଚାରୀମାନେ ଧାଇଁ ଯାଇ ତାଙ୍କୁ ସାଙ୍ଘାତିକ ଆହତ ଅବସ୍ଥାରେ ଲିଫ୍‌ଟରୁ ବାହାର କରିବା ପରେ ତୁରନ୍ତ ଗୋଟାଏ ଘରୋଇ ହସ୍ପିଟାଲ୍‌କୁ ନେଇଯାଇଥିଲେ। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ। ୧୧ ନମ୍ବର ଜୋନ୍‌ର ଡେପୁଟି ପୁଲିସ କମିସନର୍‌ ବିଶାଳ ଠାକୁର କହିଛନ୍ତି, ପ୍ରାଥମିକ ତଦନ୍ତ ବେଳେ ଆମେ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ ପଞ୍ଜିକରଣ କରିଛୁ। ଯଦି ଏଥିରେ କିଛି ଷଡ଼ଯନ୍ତ୍ର ଥିବ ଆମେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।