କର୍କଟ କେନ୍ଦ୍ରରେ ‘ନିଦାନ’ ଯୋଜନା କେବେ?
କଟକ, ୨୦ା୫/(ସକାଳଖବର): ଚଳିତବର୍ଷ ଜାନୁୟାରୀ ୧ତାରିଖଠାରୁ ସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି ଡାଇଗ୍ନୋସିସ ସେବା । ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ‘ନିଦାନ’ ଯୋଜନା ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ସାଧାରଣ ପାଥୋଲୋଜି ସେବା ସହ ସିଟି ସ୍କାନ, ଏକ୍ସ ରେ, ଏମଆରଆଇ ଆଦି ପରୀକ୍ଷା ରୋଗୀଙ୍କୁ ମାଗଣାରେ ଉପଲବ୍ଧ ହେଉଛି । ଏହି ସେବାଗୁଡିକପାଇଁ ରାଜ୍ୟ ସରକାର ସରକାରୀ ଘରୋଇ ଭାଗୀଦାରି(ପିପିପି)ମୋଡରେ ସଫଳ କରିବାକୁ ଅଣ୍ଟା ଭିଡିଛନ୍ତି । ଏହି ଯୋଜନା ଆରମ୍ଭ ହେବାର ୫ମାସ ବିତିଲାଣି । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଦାନ ଯୋଜନା କାର୍ଯ୍ୟକାରୀ ହୋଇଥିବାବେଳେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ମାଗଣା ଯୋଜନା କେବେ କର୍କଟ କେନ୍ଦ୍ରରେ ଉପଲବ୍ଧ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ହେଉଛି ପୂର୍ବ ଭାରତର ଅଗ୍ରଣୀ ସରକାରୀ କର୍କଟ ଚିକିତ୍ସା କେନ୍ଦ୍ର । ଏଠାରେ କର୍କଟ ରୋଗୀଙ୍କୁ ସ୍ୱତନ୍ତ୍ର ଚିକିତ୍ସା ମିଳୁଥିବାରୁ ଏଠାକୁ ଦୈନିକ ଶତାଧିକ ରୋଗୀଙ୍କ ଭିଡ ହୋଇଥାଏ । କିନ୍ତୁ ଏହି ଅନୁଷ୍ଠାନରେ ଉପଲବ୍ଧ ନାହିଁ ଏକ୍ସ ରେ, ସିଟି ସ୍କାନ, ଏମଆରଆଇ ପରୀକ୍ଷା ବ୍ୟବସ୍ଥା । ଫଳରେ ରୋଗୀମାନେ ଘରୋଇ ଡାଇଗ୍ନୋସିସ ସେଣ୍ଟର ଉପରେ ନିର୍ଭର କରୁଛନ୍ତି । ସେଠାରେ ଖର୍ଚ୍ଚାନ୍ତ ହୋଇ ପରୀକ୍ଷା କରାଉଛନ୍ତି । ସେହିପରି କର୍କଟ କେନ୍ଦ୍ରରେ ଚିକିତ୍ସିତ ରୋଗୀମାନେ ଏସସିବି ମେଡିକାଲ କଲେଜକୁ ଡାଇଗ୍ନୋସିସ ପାଇଁ ଗଲେ ସେଠାରେ ଟଙ୍କା ଗଣିବାକୁ ପଡୁଛି । ତେବେ କର୍କଟ କେନ୍ଦ୍ରରେ ଖୁବଶୀଘ୍ର ଏମଆରଆଇ ମେସିନ୍ ସ୍ଥାପନ ହେବାର ଯୋଜନା ରହିଥିବାବେଳେ ଏହା ମାଗଣାରେ ହେବ କି ନାହିଁ ତାହା ସ୍ଥିର ହୋଇପାରିନାହିଁ । ପୁନଶ୍ଚ ଏକ୍ସ ରେ ଓ ସିଟି ସ୍କାନ ବ୍ୟବସ୍ଥା କେବେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ରରେ ସ୍ଥାପନ ହେବା ସହ ତାହା ମାଗଣାରେ ରୋଗୀଙ୍କର କାର୍ଯ୍ୟରେ ଲାଗିବ, ସେଦିନକୁ ଚାହିଁ ବସିଛନ୍ତି ରୋଗୀ ।