କୋଶଳ ସେନାର ମହାବନ୍ଦ ଡାକରା, ଗାଡ଼ି ଚଳାଚଳ ବନ୍ଦ

Sep 7, 2022 - 05:45
 48
କୋଶଳ ସେନାର ମହାବନ୍ଦ ଡାକରା, ଗାଡ଼ି ଚଳାଚଳ ବନ୍ଦ
ବଲାଙ୍ଗୀର: ପଶ୍ଚିମ ଓଡ଼ିଶାକୁ ବାରମ୍ବାର ରାଜ୍ୟ ସରକାର ବୈମାତୃକ ମନୋଭାବ ନେଇ କାର୍ୟ୍ୟ କରୁଥିବାରୁ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମହାବନ୍ଦ ଡାକରା ଦେଇଛି । ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ଦିଆଯାଇଥିବା ମହାବନ୍ଦ ଡାକରାରେ ସ୍ୱତଃ ଲୋକେ ଏହାକୁ ସମର୍ଥନ ଦେଇଥିବା ବେଳେ ସହରରେ ଅଘୋଷିତ କଫ୍ୟୁ ଭଳି ପରିଲକ୍ଷିତ ହୋଇଛି । ସକାଳ ୬ଟାରୁ କୋଶଳ ସେନା ସହରରେ ପିକେଟିଂ କରିଛି । ମହାବନ୍ଦ ଯୋଗୁଁ ବଲାଙ୍ଗୀରର ରାଜରାସ୍ତାରେ ଦୁଇ ଚକିଆ ଗାଡ଼ି ଓ ସାଇକେଲକୁ ଛାଡିଦେଲେ ଭାରିଯାନ, ବସ୍‌, ମୋଟର୍‌ ଗାଡ଼ି, ଚାରି ଚକିଆ, ଅଟୋ ରିକ୍ସା ଚଲାଚଳ ବନ୍ଦ ରହିଛି । ଏହା ସହ ସହରର ମୁଖ୍ୟ ବଜାର, ଦୈନିକ ବଜାର, ଆମିଷ ବଜାର, ଫଳ ବଜାର ସମେତ ସପିଂ ମଲ ଓ ଅନ୍ୟ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ହୋଇଛି । ସୂଚନା ଯୋଗ୍ୟ ଯେ,ଗତ ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପରିପ୍ରେକ୍ଷୀରେ ୩ ଦିନ ବ୍ୟାପୀ ସସମ୍ମାନର ସହ ସରକାର ଛୁଟି ଦେଲେ ନାହିଁ । ଏପରିକି ମୁଖ୍ୟମନ୍ତ୍ରୀ ନିଜେ ୩ ଦିନ ବ୍ୟାପୀ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରିବାର କଥା । କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ କୋଶଳାଞ୍ଚଳର ଭାବାବେଗ ସହ ଜଡ଼ିତ ପର୍ବରେ ଚୁପ୍‌ ହୋଇ ବସିଲେ । ନୂଆଁଖାଇରେ ରାଜ୍ୟ ସରକାର ଛୁଟି ଘୋଷଣା ନକରିବା ସାରା କୋଶଳାଞ୍ଚଳ ପ୍ରତି ଘୋର ଅପମାନ । ପୂର୍ବ ଓଡ଼ିଶାରେ ରଜ ପାଳନ କଲେ ଛୁଟି ରହୁଛି । ନୂଆଁଖାଇ ପାଇଁ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ଯେଉଁ ବିଭେଦ ସୃଷ୍ଟି କରୁଛନ୍ତି ସେଥିରୁ ବିରତ ରୁହନ୍ତୁ ବୋଲି କୋଶଳ ସେନାର ସଭାପତି କୌସ୍ତୁଭ ସାହୁ ଅଭିଯୋଗ କରିଛନ୍ତି ।