ମମିତା ମେହେର ହତ୍ୟା ମାମଲା : ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା!

Dec 20, 2022 - 07:38
 41
ମମିତା ମେହେର ହତ୍ୟା ମାମଲା : ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା!
କଂଟାବାଞ୍ଜି:ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯାହା ଏବେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ସୃଷ୍ଟିକରିଛି । ମମିତା ମେହେର ହତ୍ୟାକୁ ନେଇ ସାରା ରାଜ୍ୟ ସରଗରମ ହୋଇଯାଇଥିଲା । ଏହି ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଛନ୍ଦି ହୋଇପଡ଼ିଥିଲେ । ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ଇସ୍ୟୁ କରିବାରୁ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଂଟାବାଞ୍ଜି ଜେଲରେ ରଖାଯାଇଥିଲା ।  ତେବେ ଜେଲରେ ଗୋବିନ୍ଦ ସାହୁ ରସିଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଗୋବିନ୍ଦଙ୍କୁ କଂଟାବାଞ୍ଜି ହସପିଟାଲରେ ଭର୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ ଆଲୋଡ଼ନ ସୃଷ୍ଟିହୋଇଛି । ଜେଲ ଭିତରେ ସେ କିଭଳି ଆତ୍ମହତ୍ୟା ଉଦ୍ୟମ କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଅପରପକ୍ଷରେ ମାମଲାରେ ଥିବା ଅଭିଯୁକ୍ତଙ୍କୁ ଖସାଇ ଦେବା ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଇଛି ବୋଲି ସାମାଜିକ ଗଣମାଧ୍ୟମ ଓ ରାଜନୀତିକ ମହଲରେ ମତପ୍ରକାଶ ପାଇଛି । ଗୋବିନ୍ଦଙ୍କ ମୃତ୍ୟୁ ପରେ ମମିତା ମେହେର ହତ୍ୟା ମାମଲାର ଯବନିକା ପଡୁଛି ନା ତାହା ଆଉ ଏକ ଭିନ୍ନ ମୋଡ଼ ନେଉଛି ତାହା ଉପରେ ଏବେ ନଜର ରହିଛି ।