କାଲି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ କରିବ ‘ଗୁଲାବ’

Sep 25, 2021 - 13:04
 110
କାଲି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ କରିବ ‘ଗୁଲାବ’
ଭୁବନେଶ୍ୱର : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଆଜି ସନ୍ଧ୍ୟାରେ ବାତ୍ୟାରେ ପରିଣତ ହୋଇପାରେ। ଆଉ ଆସନ୍ତାକାଲି ସନ୍ଧ୍ୟାରେ ଏହା ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଗଭୀର ଅବପାତଟି ବାତ୍ୟାରେ ପରିଣତ ହେଲେ ତା’ର ନାଁ ‘ଗୁଲାବ’ ଦିଆଯିବ ବୋଲି ସେ କହିଛନ୍ତି। ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ଗତକାଲି ସୃଷ୍ଟି ହୋଇଥିବା ଅବପାତଟି ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି। ଏହା ପାଖାପାଖି ପଶ୍ଚିମ ଦିଗକୁ ଗତି କରୁଛି। ଏହା ବର୍ତ୍ତମାନ ଗୋପାଳପୁର ଠାରୁ ୪୭୦ କିଲୋମିଟର ଦୂରରେ ପୂର୍ବ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ୨୬ ତାରିଖ (ଆସନ୍ତାକାଲି) ସନ୍ଧ୍ୟା ପାଖାପାଖି ଏହା ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ଏହା ଉପକୂଳକୁ ଅତିକ୍ରମ କରିବ। ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଏହା ଏକ ବାତ୍ୟାରେ ପରିଣତ ହୋଇପାରେ। ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିଲୋମିଟର ରହିବ। ଆସନ୍ତାକାଲି ଯେତେବେଳେ ଏହା ଉପକୂଳକୁ ଅତିକ୍ରମ କରିବ ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବ। ଅତିବେଶୀରେ ପବନର ବେଗ ଘଣ୍ଟା ପ୍ରତି ୯୫ କିଲୋମିଟର ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ପବନ ହେତୁ ଛୋଟ ଛୋଟ ଗଛ ଉପୁଡ଼ି ପାରେ। ବିଶେଷତଃ ସଜନା ଓ କଦଳୀ ଆଦି ଗଛ ଉପୁଡ଼ି ପାରେ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି। ସେ କହିଛନ୍ତି, ଏହା ସହିତ ଏହି ବାତ୍ୟାର ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷତଃ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସମସ୍ତ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୨୬ ତାରିଖରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ବର୍ଷା ଯୋଗୁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ସେହିପରି ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ କୌଣସି ମତ୍ସଜୀବୀ ସମୁଦ୍ର ମଧ୍ୟକୁ ଯିବା ଉଚିତ୍ ନୁହେଁ।