ବଦଳିପାରେ ଗେହଲତ ସରକାର

Sep 25, 2021 - 13:08
 66
ବଦଳିପାରେ ଗେହଲତ ସରକାର
ନୂଆଦିଲ୍ଲୀ : ପଞ୍ଜାବ ପରେ ଏବ ରାଜସ୍ଥାନ କଂଗ୍ରେସରେ ପରିବର୍ତ୍ତନର ବିଚାର କରୁଛନ୍ତି କଂଗ୍ରେସ ହାଇକମାଣ୍ଡ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଦିଲ୍ଲୀରୁ ଆରମ୍ଭ କରି ଜୟପୁର ପର୍ଯ୍ୟନ୍ତ ରାଜନୈତିକ ମାହୋଲ ଏବେ ଉଷ୍ମ ହେବାରେ ଲାଗିଛି। ହେବାକୁ ଥିବା ପରିବର୍ତ୍ତନ ଲାଗି ଦିଲ୍ଲୀରେ ଏବେ ବୈଠକ ପରେ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ସଚ୍ଚିନ ପାଇଲଟ ଶୁକ୍ରବାର ଠାରୁ ଦିଲ୍ଲୀରେ ଡେରାପକାଇଛନ୍ତି। ପାଇଲଟ ଶୁକ୍ରବାର ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିଲେ। ଶନିବାର ମଧ୍ୟ ସେ ଦଳର କେତେକ ନେତାଙ୍କୁ ଭେଟିଥିବା ଜଣାପଡିଛି। ପାଇଲଟଙ୍କ ଏହି ସାକ୍ଷାତ ଆଲୋଚନାକୁ ରାଜସ୍ଥାନରେ ପରିବର୍ତ୍ତନ ସହ ଯୋଡି ଦେଖା ଯାଉଛି। ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଅକ୍ଟୋବର ୧ ତାରିଖ ଦିନ ଜୟପୁର ଯାଉଥିବା ଜଣାପଡିଛି। ଏହି ଗସ୍ତକାଳରେ ସେ ରାଜସ୍ଥାନ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଓ ବିଧାୟକଙ୍କ ବୈଠକ କରିବେ ବୋଲି କୁହାଯାଉଛି। ସେପଟେ ପାଇଲଟଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ହରିଶ ଚୌଧୁରୀ ମଧ୍ୟ ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ମଧ୍ୟ ଶୁକ୍ରବାର ରାହୁଲଙ୍କୁ ଭେଟିଥିଲେ। ସଙ୍ଗଠନ ସମ୍ପାଦକ କେ.ସି ବେଣୁଗୋପାଲ ଓ ରାଜସ୍ଥାନ ପ୍ରଭାରୀ ଅଜୟ ମାକନଙ୍କ ମଧ୍ୟରେ ଆଲୋଚନା ହୋଇଥିବାର ମଧ୍ୟ ଖବର ଆସୁଛି। କୁହାଯାଉଛି କଂଗ୍ରେସ ହାଇକମାଣ୍ଡ ରାଜସ୍ଥାନ ପରିବର୍ତ୍ତନର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଏଣୁ ଅକ୍ଟୋବର ମାସରେ ଏହି ପରିବର୍ତ୍ତନ ହୁଏତ ହୋଇପାରେ ବୋଲି ଆକଳନ କରାଯାଉଛି। ଏଥିରେ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନରୁ ସରକାରରେ ପରିବର୍ତ୍ତନ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରେ। ଏହା ସହ ସଙ୍ଗଠନରେ ରିକ୍ତ ପଦବୀ ଗୁଡିକର ମଧ୍ୟ ପୂରଣ ହେବ। ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଓ ସଚ୍ଚିନ ପାଇଲଟଙ୍କ ଗୋଷ୍ଠୀରେ ଭିଡାଓଟରା ମଧ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡିଛି। ହୁଏତ ପାଇଲଟଙ୍କ ଗୋଷ୍ଠୀ କରୁଥିବା ଦାବି ଉପରେ ହାଇକମାଣ୍ଡ ପଦକ୍ଷେପ ନେଇପାରନ୍ତି ବୋଲି ଆଶା କରାଯାଉଛି।