କନ୍ଧମାଳରେ ୨୫୦ କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କନ୍ଧମାଳ,୧୦/୨(ସକାଳଖବର): କନ୍ଧମାଳ ଜିଲା ପାଇଁ ମୁଁ ଆଜି ୨୫୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲି । ଜିଲାର ପ୍ରଗତିରେ ଏହା ସହାୟକ ହେବ । ମୁଁ ଖୁସି, ଆପଣମାନେ ଖୁସି ତ ? ଏ ଥିଲା ଆଜି ଫୁଲବାଣୀ ଠାରେ ଆୟୋଜିତ ଆଂଚଳିକ ବିଜୁ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂକ୍ଷିପ୍ତ ଭାଷଣ । ରାଜ୍ୟର ବିକାଶରେ ଯୁବଗୋଷ୍ଠୀଙ୍କ ଉଲ୍ଲେଖନୀୟ ଅବଦାନ ସଂପର୍କରେ ବର୍ଣ୍ଣନା କରି ଖୁସିର ବାର୍ତା ବାଂଟିଥିଲେ ନବୀନ । କନ୍ଧମାଳ ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ଯୁବକ ଯୁବତୀ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ହାତ ହଲାଇ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀ ଦେଇଥିବା ଦେଖାଯାଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଆଗମନ ପୂର୍ବରୁ ରାଜ୍ୟସଭା ସାଂସଦ ଅଚୁ୍ୟତ ସାମନ୍ତ ଯୁବଗୋଷ୍ଠୀଙ୍କ ଉଦେ୍ଧଶ୍ୟରେ ଉଦବୋଧନ ଦେଇ ବିଜେଡି ସରକାର ଅମଳରେ ରାଜ୍ୟରେ ବିକାଶର ଚିତ୍ର ଉପସ୍ଥାପନ କରିଥିଲେ । ସେହିଭଳି ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅରୂପ ମୋହନ ପଟ୍ଟନାୟକ ବିଜୁ ଯୁବ ବାହିନୀ ଗଠନର ଉଦେ୍ଧଶ୍ୟ ସଂପର୍କରେ ଉଲ୍ଲେଖ କରିବା ସହ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମରେ ସେମାନଙ୍କ ଅବଦାନ ବିଷୟରେ ବର୍ଣ୍ଣନା କରିଥିଲେ । ଗତ ତିତଲି ମହାବାତ୍ୟା ବେଳେ ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରାଜ୍ୟବାସୀଙ୍କୁ ଅନୁପ୍ରାଣିତ କରିଛି ବୋଲି ସେ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଆଜିର କାର୍ଯ୍ୟକ୍ରମ ଅବସରରେ କନ୍ଧମାଳ ଜିଲାରେ ହୋଇଥିବା ୨୫୦ କୋଟିର ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଏଥି ମଧ୍ୟରେ ରହିଛି ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ୫ କୋଟି ୭ ଲକ୍ଷ ୪୫ ହଜାର ବ୍ୟୟରେ ନିର୍ମିିତ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଏବଂ ସମାନ ଅର୍ଥ ବ୍ୟୟରେ ଛାତ୍ରୀ ନିବାସ, ମହିଳା ମହାବିଦ୍ୟାଳୟରେ ଛାତ୍ରୀ ନିବାସ,୪ କୋଟି ୫୦ ଲକ୍ଷ ବ୍ୟୟରେ ଫୁଳବାଣୀ ଠାରେ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ୩୦୦ ଶଯ୍ୟା ବିଶିଷ୍ଟ ୨ଟି ଛାତ୍ରାବାସ, ୩ କୋଟି ୫୦ ଲକ୍ଷ ବ୍ୟୟରେ କସମର ମସଲା ପ୍ରକ୍ରୀୟାକରଣ ଉଦ୍ୟୋଗର ଅଧୁନୀକିକରଣ, ୨ କୋଟି ୧୭ ହଜାର ଟଙ୍କା ବ୍ୟୟରେ ଫୁଲବାଣୀଠାରେ ସ୍ୱୟଂଚାଳିଚ ଡ୍ରାଇଭିଙ୍ଗ ଟ୍ରାକ,ଏକ କୋଟି ୯୩ ଲକ୍ଷ ୧୨ ହଜାର ଟଙ୍କାର ପଂଚାୟତ ସମ୍ବଳ କେନ୍ଦ୍ର, ଏକ କୋଟି ୩୫ ଲକ୍ଷ ବ୍ୟୟରେ ବଇଡା ଉଚ୍ଚ ମାଧ୍ୟମିିକ ବିଦ୍ୟାଳୟର ଉନ୍ନତିକରଣ,ଏକ କୋଟି ଟଙ୍କାରେ ଫୁଲବାଣୀଠାରେ ନିର୍ମିିତ ଜିଲା ପାଠାଗାର,୪ କୋଟି ୫୦ ଲକ୍ଷ ବ୍ୟୟରେ ଜି. ଉଦୟଗିରିଠାରେ ଏସଟି ଛାତ୍ରାବାସ, ଟିକାବାଲି ଠାରେ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ୩ କୋଟି ବ୍ୟୟରେ ନିର୍ମିିତ ହଷ୍ଟେଲ, ରାଇକିଆ ବ୍ଲକରେ ୧ କୋଟି ୭୨ ଲକ୍ଷ ୯୬ ହାଜର ଟଙ୍କାର ପାଇପ ଜଳ ଯୋଗାଣ ପ୍ରକଳ୍ପ, ଏକ କୋଟି ୬ ଲକ୍ଷ ୯୮ ହାଜର ଟଙ୍କାରେ ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ, ଏକ କୋଟି ୪ ହଜାର ବ୍ୟୟରେ ରାଇକିଆର ମଣ୍ଡାକିଆରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା, ୫ କୋଟି ୨୪ ଲକ୍ଷ ଟଙ୍କାର କୋଟଗଡ ବ୍ଲକର ସୁବର୍ଣ୍ଣଗିରି-ଶ୍ରୀରାମପୁର ରାସ୍ତାରେ ନିର୍ମିତ ପୋଲ, ୨ କୋଟି ୮୮ ଲକ୍ଷ ୭୭ ହଜାର ଟଙ୍କାରେ କୁଦୁତୁଲିଠାରେ ନିର୍ମିତ ଆଦର୍ଶ ବିଦ୍ୟାଳୟ, ୨ କୋଟି ୨୭ ଲକ୍ଷ ୬୫ ହଜାର ବ୍ୟୟରେ କୋଟଗଡ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ, ଏକ କୋଟି ୫୬ ଲକ୍ଷ ୪୪ ହଜାର ବ୍ୟୟରେ କୋଟଗଡ ହାଇସ୍କୁଲର ଭିତିଭୂମି ଉନ୍ନତିକରଣ, ଏକ କୋଟି ୫୦ ଲକ୍ଷ ୫୯ ହଜାରରେ କେ. ନୂଆଗାଁ ବ୍ଲକର ଗୁଂଜିବାଡିରେ ନିର୍ମିତ ଧରମପୁର ପୋଲ । ଏଥିସହ ଓଡିଶା ୟୁଥ ଆଇକନ ଭିଡିଓ ଆଲବମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ ।