ଖଟିଆରେ ବୁହା ହେଲେ ପ୍ରସୂତୀ

Feb 11, 2019 - 05:44
 160
ବାରିପଦା, ୧୦/୨(ସକାଳଖବର): ଓଡ଼ିଶାବାସୀଙ୍କ ସୁଖଶାନ୍ତି ନିମନ୍ତେ ରାଜ୍ୟ ସରକାର ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ଘୋଷଣା କରିଚାଲିଛନ୍ତି । ଏହା ମଧ୍ୟରେ ଜନନୀ ସୁରକ୍ଷା ଠାରୁ ଆରମ୍ଭ କରି ଆମ ଗାଁ, ଆମ ବିକାଶ, ହରିଶ୍ଚନ୍ଦ୍ର ଓ କାଳିଆ ଆଦି ଯୋଜନାର କାର୍ଯ୍ୟକାରିତା ନିମନ୍ତେ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି । କିନ୍ତୁ ଏହି ବିକାଶ କେଉଁଠି ପହଁଚିଛି, ତାହା ଗାଁକୁ ରାସ୍ତା ନଥିବା କାରଣରୁ ସନ୍ତାନ ପ୍ରସବ ନିମନ୍ତେ ଖଟିଆରେ ବୁହା ହେଲେ ପ୍ରସୂତୀ ଘଟଣାରୁ ସ୍ପଷ୍ଟ ଅନୁମେୟ । ଉକ୍ତ ଗାଁକୁ ଆମ୍ବୁଲାନ୍ସ ନ ଆସି ରାସ୍ତାରେ ଅଟକି ରହିବାରୁ ଆମ୍ବୁଲାନ୍ସ ନିକଟକୁ ଖଟିଆରେ ବୁହା ହୋଇ ଗଲେ ପ୍ରସୂତୀ । ଏଭଳି ଏକ ଅଭାବନୀୟ ଘଟଣା ରବିବାର ସାମ୍ନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲା ପାଂଚପୀଢ ଉପଖଣ୍ଡ ଶୁକୃଳୀ ବ୍ଳକର ଚତୁରାଞ୍ଜଳୀ ପଂଚାୟତ ଅନ୍ତର୍ଗତ ଜେଠମା ନାୟକ ସାହିରେ । ଗ୍ରାମବାସୀଙ୍କ ପକ୍ଷରୁ ଦୀର୍ଘ ଦିନରୁ ଗାଁକୁ ରାସ୍ତା ନିର୍ମାଣର ଦାବି ହୋଇ ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ରାସ୍ତାଟି ଗାଁକୁ ସଂଯୋଗ ହୋଇ ପାରିଲା ନାହିଁ । ୨୯ ପରିବାର ବସବାସ କରୁଥିବା ଏହି ଗାଁର ଲୋକେ ଦୀର୍ଘ ୨ କିଲୋମିଟର ଚାଲି ଚାଲି ମୁଖ୍ୟ ରାସ୍ତାକୁ ଯାଇଥାନ୍ତି । ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ । ଏହାହିଁ ରାଜ୍ୟ ସରକାରଙ୍କ ଆମ ଗାଁ, ଆମ ବିକାଶ ଯୋଜନାର ସଫଳତା ।