ଓଡିଶାର ବିକାଶରେ ଆଡିକାଠ ପକାଉଛି ରାଜ୍ୟ : ବିଜେପି

Aug 22, 2019 - 06:43
 151
ଭୁବନେଶ୍ୱର, ୨୧/୮(ସକାଳଖବର): ରାଜ୍ୟ ସରକାର ଗତ ଦୁଇ ଦିନ ତଳେ ୨ ଲକ୍ଷ କୋଟି ଟଙ୍କାର ପୁଜିଂ ନିବେଶକୁ ମଂଜୁରି ଦେଇଛନ୍ତି । ସେଥିରୁ ପାରାଦ୍ୱୀପ ରିଫାଇନାରିର ପରିବର୍ଦ୍ଧିତ ପ୍ରକଳ୍ପର ପୁଜିଂ ହେଉଛି ୧ ଲକ୍ଷ କୋଟି ଟଙ୍କା । ୨ ଲକ୍ଷ କୋଟି ଟଙ୍କାର ପୁଜିଂରେ ରହିଛି ହଳଦିଆ ପେଟ୍ରୋକେମିକାଲ ଓ ତାଳଚେର ଫର୍ଟିଲାଇଜର । କେନ୍ଦ୍ରସରକାର ବହୁପୂର୍ବରୁ ଏହି ପ୍ରକଳ୍ପ ଗୁଡିକୁ ମଂଜୁରୀ ଦେବା ସହ ରାଜ୍ୟସରକାରଙ୍କ ଏନଓସି ପାଇବା ପାଇଁ ଅପେକ୍ଷା କରିଥିଲେ । କେନ୍ଦ୍ର ସରକାରଙ୍କର ପୁରୁଣା ପ୍ରକଳ୍ପ ଯାହାକୁ ନିଜେ ରାଜ୍ୟ ସରକାର ନିଜର ହିନ ରାଜନୈତିକ କାରଣ ପାଇଁ ଅଟକାଇଥିଲେ ସେହି ସବୁ ପ୍ରକଳ୍ପକୁ ମଜୁଂର କରି ଆଜି ଓଡିଆ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରିକି ଯାଇଛନ୍ତି, ସେହି ପ୍ରକଳ୍ପ ଗୁଡିକୁ ସେତେବେଳ ରାଜ୍ୟ ସରକାର ଜମି ଦେଲେ ନାହିଁ କି ସହଯୋଗ କଲେ ନାହିଁ । ସେହି ସବୁ ପ୍ରକଳ୍ପକୁ ଏବେ ମଜୁଂରି କଲେ । କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଗୁଡିକୁ ରାଜ୍ୟସରକାର କାର୍ଯ୍ୟାନ୍ୱୟନ ନକରି ବିଳମ୍ବରେ କାର୍ଯ୍ୟାନ୍ୱୟନ କରି ଓଡିଶାର ବିକାଶରେ ଆଡିକାଠ ପକାଉଛନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର ପୁରୁଣା ପ୍ରକଳ୍ପ ଗୁଡିକୁ ମଂଜୁରୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି କାଳେ ନାଁ ନେଇଯିବେ, ସେଥିଲାଗି ହୀନ ମାନସିକତା ରଖି ଏହି ପ୍ରକଳ୍ପଗୁଡିକୁ ରାଜ୍ୟସରକାର ଅଟକାଇ ରଖିଥିଲେ । ସେହି ସବୁ ପ୍ରକଳ୍ପକୁ ମଜୁଂର କରି ଆଜି ଓଡିଆ ଲୋକଙ୍କୁ ଭୁଆଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି ରାଜ୍ୟସରକାର । ତାମିଲ୍ କମ୍ପାନୀ ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ କମ୍ପାନୀ ମାନଙ୍କୁ ବିନା ଅସୁବିଧାରେ ରାଜ୍ୟ ସରକାର ଏନଓସି ଦିଆଯାଉଥିବା ବେଳେ କେନ୍ଦ୍ରୀୟ ପ୍ରକଳ୍ପକୁ ଏନଓସି ଦେବାରେ ମୁଖ୍ୟମନ୍ତ୍ରୀଙ୍କୁ କଷ୍ଟ ହେଉଥିଲା । ନୀରବ ମୋଦୀ ସାଙ୍ଗରେ ଏମଓୟୁ କରି ୬୦-୭୦ ଏକର ବହୁମୂଲ୍ୟ ସମ୍ପତି ରାଜ୍ୟ ସରକାର ଦେଲେ । କିନ୍ତୁ କେନ୍ଦ୍ରୀୟ ପ୍ରକଳ୍ପ ପାଇଁ ବାଧକ ସାଜିଲେ । ଭଦ୍ରକର ଜାତୀୟ ରାଜପଥ କଡରେ ୧୯୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଟେକ୍ସଟାଇଲ ପାର୍କ ପାଇଁ ଆବଶ୍ୟକ ହେଉଥିବା ୭୫ ଏକର ଜମି ଓଡିଶା ସରକାର ଯୋଗାଇ ନାହାଁନ୍ତି । ଡେରାଶରେ ମୋରାଇନ୍ ଫୁଡ ପ୍ରସୋସିଂ ପ୍ଲାଂଟ ନିର୍ମାଣ ହେଲେ ଓଡିଆ ଲୋକମାନେ ଚିଙ୍ଗୁଡି କାରଖାନା କରି କାମ କରିପାରନ୍ତେ । ଭାରତ ସରକାର ପଇସା ଖର୍ଚ କରିବାକୁ ରାଜି ଥିଲେ ମଧ୍ୟ ରାଜ୍ୟ ସରକାର ଏଥିପାଇଁ ସହଯୋଗର ହାତ ବଢାଉନାହାନ୍ତି । ମୁଖ୍ୟମନ୍ତ୍ରୀ ବକ୍ସି ଜଗବନ୍ଧୁଙ୍କ ସ୍ମାରକୀ ପାଇଁ ମାଗଣାରେ ଜମି ଦେବା କଥା ଏପର୍ଯ୍ୟନ୍ତ ଜମି ଯୋଗାଇନାହଁନ୍ତି । ଏନଟିପିସିର ୧୦ ହଜାର କୋଟି ଟଙ୍କା ବ୍ୟୟରେ ୧୩୨୦ ମେଗାୱାଟ ତାଳଚେର ପ୍ରକଳ୍ପର ସଂପ୍ରସାରଣରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି ।