ଏସ୍ସିବି ଆଇସିୟୁ ସ୍ୱାସ୍ଥ୍ୟ ଭଲନାହିଁ
କଟକ,୨୭ା୪/(ସକାଳଖବର): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ)ର ବିଭିନ୍ନ ବିଭାଗ ଆଇସିୟୁର ଅବସ୍ଥା ଏବେ ସଙ୍ଗୀନ ଅବସ୍ଥାରେ । କେଉଁଠି ଗ୍ୟାସ ପାଇପ ଲାଇନ୍ ଠିକ୍ ନାହିଁ ତ ଅନ୍ୟ କେଉଁଠି ଭେଣ୍ଟିଲେଟର ଖରାପ ହୋଇପଡିଛି । ଏହିପରି ଅଭିଯୋଗ କରିଛନ୍ତି ଖୋଦ୍ ବିଭିନ୍ନ ବିଭାଗର ମୁଖ୍ୟମାନେ । ଇତିମଧ୍ୟରେ ବଡ ମେଡିକାଲ ଅଧୀକ୍ଷକ ପ୍ରଫେସର ଡ. ଶ୍ୟାମା କାନୁନଗୋଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ ବୈଠକରେ ଏନେଇ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗର ଆଇସିୟୁ ମୁଖ୍ୟମାନେ ମନିଟର, ଆଇସିୟୁ ବେଡ୍, ଅମ୍ଳଜାନ ପାଇପଲାଇନ, ଭାକ୍ୟୁମ ଆଦି ଯୋଗାଉଥିବା ରବିନ୍ଦ୍ର ସର୍ଜିକାଲକୁ ଟାର୍ଗେଟ କରିଥିଲେ । ଏହି ସମସ୍ୟା ସମ୍ପର୍କରେ ଓଡିଶା ରାଜ୍ୟ ଓøଷଧ ନିଗମର ପରିଚାଳନା ନିଦେ୍ର୍ଧଶକଙ୍କୁ ଜଣାଇବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ମିଳିଥିବା ସୂଚନା ମୁତାବକ, ପ୍ରଥମେ ମୁଖଗହ୍ୱର ଶଲ୍ୟଚିକତ୍ସା ବିଭାଗର ମୁଖ୍ୟ ପ୍ରଫେସର ଇନ୍ଦୁଭୂଷଣ କର ଓ ନିଶ୍ଚେତକ ବିଭାଗର ମୁଖ୍ୟ ବିକେ ପ୍ରଧାନ ଆଲୋଚନା କରିବା ସହ ବିଭିନ୍ନ ଆଇସିୟୁର ସ୍ଥିତି ଦେଖି ଉଦ୍ବେଗ ପ୍ରକାଶ କରିଥିଲେ । ଶିଶୁ ବିଭାଗର ଡାକ୍ତର ଲୀନା ଦାସ କହିଲେ ଯେ, ଆଇସିୟୁର ଗ୍ୟାସ ପାଇପ ଲାଇନକୁ ମରାମତି କରାଯିବା ଆବଶ୍ୟକ । ଭେଣ୍ଟିଲେଟରର ସମାନ ଅବସ୍ଥା ଥିବାରୁ ତାହା ମଧ୍ୟ ସଜାଡିବାକୁ ପଡିବ । ସେହିପରି ବିଭିନ୍ନ ଆଇସିୟୁରେ ପର୍ଯ୍ୟାପ୍ତ ପରିମାଣର ସିରିଞ୍ଜ ବ୍ୟବସ୍ଥା ନାହିଁ । ତେଣୁ ୩ଦିନର ଷ୍ଟକପାଇଁ ବ୍ୟବସ୍ଥା କରାଯିବାନେଇ ଧ୍ୟାନ ଦେବାକୁ ଡାକ୍ତର ଦାସ କହିଥିଲେ । ସେହିପରି ପ୍ରାଥମିକ ପର୍ଯ୍ୟାୟରେ ରୋଗୀଟିଏ ରହୁଥିବା ଆଇସିୟୁରେ ଯଥାର୍ଥ କାଉନସେଲିଂ ଓ ଚିକିତ୍ସା କରାଯାଉନାହିଁ । ଫଳରେ ପରବର୍ତ୍ତୀ ସମୟରେ ରୋଗୀର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡୁଛି । ଆନାସ୍ଥେସିଓଲୋଜି ବିଭାଗର ମୁଖ୍ୟ ଶ୍ରୀ ପ୍ରଧାନ କହିଲେ ଯେ, ଆଇସିୟୁର ଗ୍ୟାସ ପାଇପଲାଇନରୁ ଲିକ୍ ହେଉଛି । ତେଣୁ ଖୁବଶୀଘ୍ର ଏହାର ମରାମତି କରାଯିବା ଦରକାର । ସେହିପରି ରେଡିଓଗ୍ରାଫର ଓ ଆଟେଣ୍ଡାଣ୍ଟ ଅଭାବରୁ ସ୍ୱତନ୍ତ୍ର ଆଇସିୟୁ କାର୍ଯ୍ୟ କରୁନାହିଁ । ତେଣୁ ଏଥିପାଇଁ ଆଉଟସୋର୍ସିଂ ବ୍ୟବସ୍ଥା କରିବା ଆବଶ୍ୟକ । ସେହିପରି ଅବିରତଭାବେ ଓøଷଧ ଯୋଗାଇ ଦିଆଯାଉ । ଅତି କମରେ ୩ଦିନର ମହଜୁଦ ରଖାଯିବାକୁ ଆଇସିୟୁରେ କାର୍ଯ୍ୟରତ ନର୍ସମାନେ ଧ୍ୟାନ ଦେବା ଆବଶ୍ୟକ । ପୁନଶ୍ଚ ଆଇସିୟୁରେ ଏସି କାମ କରୁନଥିବା ଦେଖାଯାଉଛି । ତେଣୁ ବିଭିନ୍ନ ଆଇସିୟୁର ନିୟମିତ ଯାଞ୍ଚ କରାଯାଉ । ସେଥିପାଇଁ ଜିଇଡି ବିଭାଗର ଅଧିକାରୀମାନେ ଦୃଷ୍ଟି ଦେବା ଦରକାର । ଅଗ୍ନିଶମ ବ୍ୟବସ୍ଥାର ମଧ୍ୟ ନିୟମିତ ତଦାରଖ କରିବାକୁ ବୈଠକରେ ଦାବି ହୋଇଥିଲା ।