ଏସସିବିରୁ ହଟିବ ଅଚଳ ମେସିନ

May 20, 2018 - 14:07
 163
ଏସସିବିରୁ ହଟିବ ଅଚଳ ମେସିନ
କଟକ,୨୦ା୫/(ସକାଳଖବର): ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ)ରୁ ହଟିବ ସମସ୍ତ ଖରାପ ମେସିନ । ଫଳରେ ସେହି ସ୍ଥାନ ଫାଙ୍କା ହେବା ସହ ଆବଶ୍ୟକତା ଅନୁଯାୟୀ ନୂତନ ମେସିନ ବ୍ୟବସ୍ଥା କରାଯିବ । ଏହା ମେଡିକାଲର ସବୁ ବିଭାଗ କ୍ଷେତ୍ରରେ କାର୍ଯ୍ୟକାରୀ ହେବ । ଏହି ସୂଚନା ଦେଇଛନ୍ତି ନୂତନଭାବେ ଯୋଗଦେଇଥିବା ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା । ସେ କହିଛନ୍ତି ଯେ, ବଡ ମେଡିକାଲକୁ ଦୂରଦୂରାନ୍ତରୁ ରୋଗୀଟିଏ ଉନ୍ନତମାନର ଚିକିତ୍ସାପାଇଁ ଦୌଡି ଆସିଥାଏ । କିନ୍ତୁ ଏକ୍ସ ରେ ମେସିନ ସହ ଅନ୍ୟାନ୍ୟ ମେସିନ ଓ ଆନୁଷଙ୍ଗିକ ବ୍ୟବସ୍ଥା ଅଭାବଯୋଗୁ ଚିକିତ୍ସା ବିଳମ୍ବିତ ହେବା ସହ ରୋଗୀଟିଏ ହଇରାଣ ହରକତ ହୋଇଥାଏ । ତେଣୁ ପ୍ରତି ବିଭାଗରେ ଅଚଳ ହୋଇ ରହିଥିବା ମେସିନଗୁଡିକର ତାଲିକା ମଗାଯାଇଛି । ତାହା ଆସିବାପରେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇ ନୂତନ ମେସିନ ବ୍ୟବସ୍ଥା କରାଯିବ । ଏଠାରେ ସୂଚନା ଥାଉକି, ବଡ ମେଡିକାଲରେ ଏବେ ୭ଟି ଏକ୍ସ ରେ ମେସିନ ରହିଛି । ସେଥିରୁ ୫ଟି କାର୍ଯ୍ୟକ୍ଷମ ଥିବାବେଳେ ପୁରୁଣା ରଞ୍ଜନ ରଶ୍ମି ବିଭାଗରେ ୨ଟି ଅଚଳ ହୋଇପଡିଛି । ପୁରୁଣା ରଞ୍ଜନ ରଶ୍ମି ବିଭାଗରେ ୪ଟି ଓ ଆଞ୍ଚଳିକ ନିଦାନ କେନ୍ଦ୍ରରେ ଗୋଟିଏ ଏକ୍ସ ରେ ମେସିନ କାର୍ଯ୍ୟକ୍ଷମ ରହିଛି । ଏହାବାଦ୍ କିଛିଦିନତଳେ ନୂତନ ରଞ୍ଜନ ରଶ୍ମି ବିଭାଗରେ ଏକ ଡିଜିଟାଲ ଏକ୍ସ ରେ ସ୍ଥାପନ ହୋଇଛି । ଏହା ସାମସଙ୍ଗ କମ୍ପାନୀ ଦ୍ୱାରା ଦାନସୂତ୍ରରେ ମିଳିଛି । ବଡ ମେଡିକାଲର ଅଚଳ ଏକ୍ସ ରେ ମେସିନକୁ ସଜାଡିବାକୁ ବହୁବାର ଉଚ୍ଚସ୍ତରୀୟ ବୈଠକ ବସିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଫଳରେ ଏହି ମେସିନ ଉପରେ ବିଭାଗୀୟ କର୍ମଚାରୀମାନେ ଦିନବେଳା ଆରାମରେ ଶୋଉଥିବା ଦେଖିବାକୁ ମିଳିଛି ।