ଶରତ ପ୍ରଧାନଙ୍କୁ ‘ସଚ୍ଚି ରାଉତରାୟ ସମ୍ମାନ’

May 20, 2018 - 14:08
 164
କଟକ,୨୦ା୫/(ସକାଳଖବର): ସ୍ଥାନୀୟ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ସଚ୍ଚି ରାଉତରାୟ ସ୍ମୃତିସନ୍ଧ୍ୟା ଓ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ଉଦଘାଟନକରି ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଡ. ରବିନାରାୟଣ ସେନାପତି କହିଲେ ଯେ, ଓଡିଆ କବିତାରେ ଆଧୁନିକତାର ପ୍ରବର୍ତ୍ତକ ହେଉଛନ୍ତି ସଚ୍ଚି ରାଉତରାୟ । ସେ କେବଳ ଜଣେ କ୍ରାନ୍ତିକାରୀ ସ୍ରଷ୍ଟା ନୁହନ୍ତି, ଜଣେ ଜୀବନଧର୍ମୀ କବି । ସେ ହେଉଛନ୍ତି ବିଶ୍ୱ ସାହିତ୍ୟରେ ଅନନ୍ୟ ପ୍ରତିଭା । ମୁଖ୍ୟ ଅତିଥିଭାବେ ପ୍ରଫେସର ରାଜକିଶୋର ମିଶ୍ର ଯୋଗଦେଇ କହିଲେ ଯେ, ସଚ୍ଚି ରାଉତରାୟଙ୍କ କାବ୍ୟ ପ୍ରତିଭା ସମଗ୍ର ଭାରତୀୟ ସାହିତ୍ୟରେ ବିରଳ । ସେ ଥିଲେ ବହୁମୂଖୀ ପ୍ରତିଭାର ଅଧିକାରୀ । ସେ କାଳଜୟୀ ସ୍ରଷ୍ଟା ଓ ସାମ୍ୟବାଦୀ ଚେତନାର ଭଗୀରଥ । ମୁଖ୍ୟ ବକ୍ତା ପ୍ରଶାସକ ରତ୍ନାକର ରାଉତ ତାଙ୍କ ଅଭିଭାଷଣରେ କହିଲେ, ସଚ୍ଚି ରାଉତରାୟଙ୍କ ସାହିତ୍ୟ ପ୍ରତ୍ୟେକ ବର୍ଗର ପାଠକଙ୍କୁ ଛୁଇଁପାରିଥିଲା । ଇଂ. ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ମାନିତ ଅତିଥିଭାବେ ସହଦେବ ସାହୁ ଯୋଗଦେଇଥିବାବେଳେ ନାଟ୍ୟକାର ସଞ୍ଜିତ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଫେସର ଡ. ଶରତ ଚନ୍ଦ୍ର ପ୍ରଧାନଙ୍କୁ ସଚ୍ଚି ରାଉତରାୟ ସମ୍ମାନ ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ଅନୁବାଦିକା ସୁମିତ୍ରା ସାହୁଙ୍କ ସ୍ମୃତିରେ ଅଳକା ଚାନ୍ଦଙ୍କୁ ‘ସୁମିତ୍ରା ଅନୁବାଦ ସମ୍ମାନ’ରେ ସମ୍ମର୍ଦ୍ଧିତ କରାଯାଇଥିଲା । କବିତା ପାଠୋତ୍ସବରେ ୫୦ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ ।