ଆହତ ବାର୍ହାର ମୃତ୍ୟୁ

Sep 23, 2018 - 18:39
 206
ଅନୁଗୋଳ , ୨୩/୯ (ସକାଳଖବର) ବାମୁର ବନାଞ୍ଚଳର ଓସ୍କାପାଲି ଗ୍ରାମ ପଥରବଣି ପୀଢ଼ ନିକଟରୁ ବନ ବିଭାଗ ଗତ ରାତିରେ ଏକ ବାର୍ହାର ଶବ ଉଦ୍ଧାର କରିଥିଲା । ବାମୁର ବନାଞ୍ଚଳ କାର୍ଯ୍ୟାଳୟଠାରେ କିଶୋରନଗର ବ୍ଲକ ପ୍ରାଣୀଧନ ଅଧିକାରୀ ଡ଼. ତପନ ବେଉରା ଶବ ବ୍ୟବଚ୍ଛେଦ କରିଛନ୍ତି । ଶିକାରୀ ଗୁଳିମାଡ଼ରେ ବାର୍ହାର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ବାମୁର ବନାଞ୍ଚଳ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ କହିଛନ୍ତି ଯେ ଆଠମଲ୍ଲିକ ଏବଂ ରେଢ଼ାଖୋଲର ସୀମାନ୍ତ ଗଡ଼ଗଡ଼ବାହାଳଠାରେ ଶିକାରୀର ଗୁଳିମାଡ଼ରେ ବାର୍ହା ଆହତ ହୋଇଥିଲା । ବାର୍ହା ଭୀତତ୍ରସ୍ତ ହୋଇ ଓସ୍କାପାଲି ପଥରବଣି ପୀଡ଼ ନିକଟକୁ ଚାଲି ଆସି କୃଷି ଶ୍ରମିକ ବଳରାମ ପ୍ରଧାନଙ୍କୁ କାମୁଡ଼ି ଆହତ କରିଥିଲା । ଆହତ ବଳରାମଙ୍କୁ ଚିକିସôା ପାଇଁ କିଶୋରନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଆହତ ବଳରାମଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବାମୁର ବନାଞ୍ଚଳ ଅଧିକାରୀ କହିଛନ୍ତି । ଶବ ବ୍ୟବଚ୍ଛେଦ ପରେ ବାର୍ହାକୁ ବାମୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଛି । ଖେସରା ଜଙ୍ଗଲ, ଖଜୁରିଝରଣ, ଶିଶୁପାନ, ଗଡ଼ଗଡ଼ବାହାଳ ଅଞ୍ଚଳରେ ଜନ୍ତୁ ଶିକାର ଯୋଗୁ ପରିବେଶବିତମାନେ କ୍ଷୋଭ ପ୍ରକାଶ କରିଛନ୍ତି । ରେଢ଼ାଖୋଲ ଏବଂ ଆଠମଲ୍ଲିକ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଶିକାରୀଙ୍କୁ ଗିରଫ କରିବା ପାଇଁ ଛାନଭିନ୍ ଆରମ୍ଭ ହୋଇଛି ।