। ୩ ନମ୍ବର ସାଇକେଲ ଷ୍ଟାଣ୍ଡର ଉନ୍ନତିକରଣ ମାମଲାରେ ରେଳବାଇକୁ ନୋଟିସ

May 25, 2018 - 11:46
 154
। ୩ ନମ୍ବର ସାଇକେଲ ଷ୍ଟାଣ୍ଡର ଉନ୍ନତିକରଣ ମାମଲାରେ ରେଳବାଇକୁ ନୋଟିସ
କଟକ,୨୪ ।୫(ସକାଳଖବର): କଟକ ରେଳ ଷ୍ଟେସନର ୩ନମ୍ବର ସାଇକେଲ ଓ ମୋଟର ସାଇକେଲ ଷ୍ଟାଣ୍ଡରେ ତଳ ଭାଗ ପକ୍କା ସହ ଉପରେ ଛାତ ପକାଇବାରେ ବିଳମ୍ବତାକୁ ନେଇ ହାଇକୋର୍ଟରେ ଦାୟର ମାମଲା ଉପରେ ରେଳବାଇ ୬ସପ୍ତାହ ମହଲତ ଲୋଡିଥିବାବେଳେ ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜବାବ ରଖିବା ପାଇଁ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କଟକ ରେଳ ଷ୍ଟେସନ ୩ନମ୍ବର ସାଇକେଲ ଓ ମୋଟର ସାଇକେଲ ଷ୍ଟାଣ୍ଡରେ ତଳ ଭାଗ ପକ୍କା ସହ ଉପରେ ଛାତ ପକାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ବିଳମ୍ବତାକୁ ନେଇ ଶିଖରପୁର ଉପରସାହି ଅଞ୍ଚଳର ସୁଧାଂଶୁ ଶେଖର ପରିଡା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଏଥିରେ ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜର, ଖୋର୍ଦ୍ଧା ଡିଭିଜନ ରେଲୱେ ମ୍ୟାନେଜର, ଡିଭିଜିନାଲ କର୍ମସିଆଲ ମ୍ୟାନେଜର, କଟକ ରେଳ ଷ୍ଟେସନର ମ୍ୟାନେଜର, ଠିକାଦାର ସଞ୍ଜୟ କୁମାର ନାୟକଙ୍କୁ ପକ୍ଷଭୁକ୍ତ କରିଥିଲେ । ଆବେଦନକାରୀ ଦର୍ଶାଇଥିଲେ ଯେ ଏହି ଷ୍ଟେସନରୁ ଦୈନିକ ହଜାରହଜାର ଯାତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟତ କରୁଛନ୍ତି । ତେବେ ରେଳବାଇ ଦ୍ୱାରା ପରିଚାଳିତ ଷ୍ଟାଣ୍ଡରେ ଯାତ୍ରୀମାନେ ସାଇକେଲ ଓ ମୋଟର ସାଇକେଲ ରଖୁଛନ୍ତି । ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ୩ନମ୍ବର ଷ୍ଟାଣ୍ଡର ପରିଧିକୁ ୬୭୧ ବର୍ଗ ମିଟରରୁ ୯୭୫ବର୍ଗ ମିଟରକୁ ପରିବର୍ଦ୍ଧିତ କରିଥିଲେ । ତେବେ ଏହି ଷ୍ଟାଣ୍ଡରୁ ରେଳବାଇ ବାର୍ଷିକ ପାଖାପାଖି ୫ଲକ୍ଷ ଟଙ୍କା ଲାଇସେନ୍ସ ଫି ମଧ୍ୟ ପାଉଛି । ଏହି ଷ୍ଟାଣ୍ଡ ତଳ ଭାଗରେ ଥିବାବେଳେ ବର୍ଷା ଦିନେ ପାଣି ଜମି ରହୁଛି । ଫଳରେ ଯାତ୍ରୀମାନେ ଅସୁବିଧା ଭୋଗ କରୁଛନ୍ତି । ତେବେ ଷ୍ଟାଣ୍ଡର ଉନ୍ନତିକରଣ ପାଇଁ ରେଳବାଇ ପକ୍ଷରୁ ୨୦୧୬-୧୭ରେ ୮.୪୭ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ତେବେ କାମକୁ ତ୍ୱରାନ୍ୱିତ କରିବା ସହ ଯାତ୍ରୀଙ୍କ ସାଇକେଲ ଓ ମୋଟର ସାଇକେଲର ସୁରକ୍ଷା ପାଇଁ ପ୍ରାର୍ଥନା କରି ମାମଲା ରୁଜୁ ହୋଇଛି ।