୨.୧୮ଲକ୍ଷ କ୍ଷୁଦ୍ର ଜମାକାରୀ ଚିହ୍ନଟ, ୧୪୮୫ଙ୍କୁ ଅର୍ଥ ଫେରସ୍ତ

Jul 13, 2018 - 14:40
 164
କଟକ,୧୩ା୭(ସକାଳଖବର): ରାଜ୍ୟରେ ଚିଟ୍ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଶୁକ୍ରବାର ପଞ୍ଚମ ପର୍ଯ୍ୟାୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି । କମିସନଙ୍କ ସଚିବ ଦେବରାଜ ରାଉତ ଆଜି ଗୃହ ବିଭାଗ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ସାକ୍ଷାତ କରି ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ୧୨୫୩୦ ପୃଷ୍ଠାର ଏହି ରିପୋର୍ଟରେ ୧୦ହଜାରରୁ କମ ପୁଞ୍ଜି ବିନିଯୋଗ କରିଥିବା ୧ଲକ୍ଷ ୧ହଜାର ୮୫୦ କ୍ଷୁଦ୍ର ଜମାକାରୀ ପ୍ରସଙ୍ଗରେ ତଥ୍ୟ ରହିଥିବାବେଳେ ଚିହ୍ନଟ ହୋଇଥିବା ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିବା କମିସନ ସୂଚନା ଦେଇଛନ୍ତି । ତେବେ ପଞ୍ଚମ ପର୍ଯ୍ୟାୟରେ ୧୭୪ଜଣ ଜମାକାରୀ ଟଙ୍କା ଫେରସ୍ତ ପାଇଥିବା ଜଣାଯାଇଛି । ବିଭିନ୍ନ କମ୍ପାନୀ କମିସନଙ୍କ କାର୍ଯ୍ୟାଳୟରେ ହାଜର ହୋଇ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିଛନ୍ତି । ତେବେ ଗତ ଜାନୁୟାରୀ ଠାରୁ ମେ ମାସ ମଧ୍ୟରେ ୨.୫୨ ଲକ୍ଷ ସତ୍ୟପାଠ ଯାଞ୍ଚ କରାଯାଇ ୪୮୬ କମ୍ପାନୀଙ୍କୁ ନୋଟିସ ହୋଇଥିବାବେଳେ ସେଥି ମଧ୍ୟରେ ଥିବା ୨୯୦ଟି ଚିଟଫଣ୍ଡ ସଂସ୍ଥା ସଂପର୍କରେ ରିପୋର୍ଟ ପ୍ରଦାନ କରାଯାଇଛି । ତେବେ ଅଦ୍ୟାବଧି ସମୁଦାୟ ୨ଲକ୍ଷ ୧୮ହଜାର ୩୫୪ ଜମାକାରୀ ଚିହ୍ନଟ ହୋଇଥିବାବେଳେ ସମୁଦାୟ ୧୪୮୫ଜଣ କ୍ଷୁଦ୍ର ଜମାକାରୀ ଅର୍ଥ ଫେରସ୍ତ ପାଇଥିବା କମିସନ ସୂଚନା ଦେଇଛନ୍ତି ।