୧୫ରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ; ଏକାଧିକ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ

Jan 13, 2019 - 18:20
 193
୧୫ରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ; ଏକାଧିକ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ
ଭୁବନେଶ୍ୱର: ୧୩/୧(ସକାଳଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ନିର୍ବାଚନ ବର୍ଷ ଆରମ୍ଭରୁ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ୱିତୀୟ ଗସ୍ତ । ୧୫ ତାରିଖର ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପଶ୍ଚିମ ଓଡ଼ିଶା ପାଇଁ ଉଦ୍ଧିଷ୍ଟ । ପ୍ରଧାନମନ୍ତ୍ରୀଙ୍କ ସଭା କାର୍ଯ୍ୟ ପାଇଁ ବଲାଙ୍ଗୀର ସ୍ଥିର କରାଯାଇଛି । ରାୟପୁରରୁ ଆସି ପ୍ରଧାନମନ୍ତ୍ରୀ ଓଡ଼ିଶାରେ ପହଞ୍ଚିବେ । ଏହି ଅବସରରେ ମୋଦୀ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ନିର୍ବାଚନରେ ଓଡ଼ିଶାକୁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ବିଜେପି ବିବେଚନା କରିଛି । ରାଜ୍ୟକୁ ପୂର୍ବ ଭାରତର ପ୍ରବେଶ ଦ୍ୱାର ଭାବେ ଦଳ ଗ୍ରହଣ କରିଛି । ଅନ୍ୟ ଦୃଷ୍ଟିରେ ପଶ୍ଚିମ ଓଡ଼ିଶାରେ ଦଳର ଭିତ୍ତିଭୂମି ବେଶ ଭଲ । ଏହି କାରଣରୁ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୫୦୦ କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟର ଭେଟି ପଶ୍ଚିମ ଓଡ଼ିଶାବାସୀଙ୍କୁ ଭେଟି ଦେବେ । ଏହି ପ୍ରକଳ୍ପ ମଧ୍ୟରେ ପଶ୍ଚିମ ଓଡ଼ିଶାର ରେଳ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କେତେକ ଲାଇନର ଦୋହରୀକରଣ ଓ ଝାରସୁଗୁଡ଼ା- ବିଜୟନଗରମ୍ , ସମ୍ବଲପୁର- ଅନୁଗୁଳ ବିଦ୍ୟୁତୀକରଣ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ । ରାୟଗଡ଼ାରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଉଦ୍ଘାଟନ କରିବା ସହ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ । ଝାରସୁଗୁଡ଼ାଠାରେ ମଲଟି ଲଜିଷ୍ଟିକ ପାର୍କର ଶୁଭାରମ୍ଭ କରିବେ । ଏଥିସହ ବଲାଙ୍ଗୀର, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ଏକାଧିକ ପ୍ରାଚୀନ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବ ।ଏହି ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ଦଳୀୟ ସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।