୨ ବର୍ଷ ପରେ ଶୁଭିଲା ବୋଲବମ୍‌

Jul 18, 2022 - 04:49
 47
୨ ବର୍ଷ ପରେ ଶୁଭିଲା ବୋଲବମ୍‌
ଭୁବନେଶ୍ବର: ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ୟ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ଏହି ମାସରେ ୪ଟି ସୋମବାର ପଡୁଥିବାବେଳେ କାଉଡିଆମାନେ ଜଳାଭିଷେକ କରିଥାନ୍ତି । କୁହାଯାଏ ଶ୍ରାବଣ ସୋମବାରରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷେକ କଲେ ସୁନ୍ଦର ବାସସ୍ଥାନ, ଇଚ୍ଛାନୁରୂପଧନ, ସନ୍ତାନ, ସନ୍ତତି, ଦୀର୍ଘାୟୁ ହୋଇଥାନ୍ତି । ଶ୍ରାବଣ ମାସରେ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ । ଏହି ଯାତ୍ରା ପାଇଁ ଦେଶର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ । ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ଭୋଳା ବାବା ପାର କରେଗା, ବୋଲ ବମ ହରହର ବମ୍‌, ଜଟିଆ ବାବା ପାର କରେଗାଧ୍ବନିରେ ଗଗନପବନ ମୁଖରିତ ହୋଇଥାଏ । ବର୍ଷା, ପବନକୁ ଖାତିର ନ କରି ରାସ୍ତାରେ ମାନସିକଧାରୀ କାଉଡିଆମାନେ ଶିବଙ୍କ ପାଇଁ ପାଣି ଭାର ନେଇ ଚାଲିଥାନ୍ତି ମାଇଲ ମାଇଲ ବାଟ । ମାଇଲ ମାଇଲ ଗଲା ପରେ ଥକି ପଡେନି ତା ପାଦ । ଝିପ୍ ଝିପ୍ ବର୍ଷାରେ କାଉଡିଆ ଭାଇ ଓ ଭଉଣୀ ମାନେ ପାଣି ବାହୁଙ୍ଗି ଧରି ଚାଲି ଚାଲି ଧାଇଁଥାନ୍ତି ଭୋଳା ଦ୍ବାରକୁ ।କୁହାଯାଏ ଯେ, ଭଗବାନଙ୍କୁ ଫୁଲ, ଫଳ ଦେଇ ପୂଜାକଲେ ସେତିକି ସନ୍ତୁଷ୍ଟ ହୋଇନଥାନ୍ତି ଯେତିକି ଜଳାଭିଷେକ ଦ୍ବାରା ହୋଇଥାନ୍ତି । କାଉଡିଆ ଯାତ୍ରାର ଇତିହାସ ବହୁତ ପ୍ରାଚୀନ ହୋଇଥିବା ବେଳେ ଏହାର ପୌରାଣିକ ମହତ୍ତ୍ବ ରହିଛି । କେଉଁଠି ଭଗବାନ ପର୍ଶୁରାମଙ୍କୁ ପ୍ରଥମ କାଉଡିଆ ବୋଲି କୁହାଯାଉଥିବା ବେଳେ କେଉଁଠି ରାବଣ ପ୍ରଥମେ ଏହି ବ୍ରତ କରିବା କଥା କୁହାଯାଇଥାଏ ।