କାଳିଆ କୁ ନେଇ ବିଜେପି ହୀନ ରାଜନୀତି କରୁଛି : ବିଜେଡ଼ି

Mar 14, 2019 - 14:52
 144
ଭୁବନେଶ୍ୱର,୧୩/୩(ସକାଳଖବର): କାଳିଆ ଯୋଜନା ସମ୍ପର୍କରେ ରାଜ୍ୟ ଅର୍ଥନ୍ତ୍ରୀ ଶଶୀଭୂଷଣ ବେହେରା ଯେଉଁ ସୂଚନା ଦେଇଛନ୍ତି ତାହା ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ କରୁନାହିଁ । ଏଭଳି ସୂଚନା ପ୍ରଦାନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ଥିବା ବେଳେ ବିଜେପି ଏହାକୁ ପ୍ରସଙ୍ଗ କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କ ଲୋକପି୍ରୟ କାଳିଆ ଯୋଜନାରେ ଅସହିଷ୍ଣୁ ହୋଇଯାଇଥିବା ବିଜେପି ଏବେ ହୀନ ରାଜନୀତି କରୁଛି ବୋଳି ଅଭିଯୋଗ କରିବା ସହ ବିଜୁ ଜନତା ଦଳ ଏହାକୁ ସମାଲୋଚନା କରିଛି । ଆଜି ନିର୍ବାଚନ କମିଶନଙ୍କ ନିକଟରେ ବିଜେପି କାଳିଆ ଯୋଜନା ଏବଂ ୪୦ ଲକ୍ଷ ଚାଷୀ ଏଥବରେ ଉପକୃତ ହେଉଥିବାରୁ ତାକୁ ନେଇ ଆପତି ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି । ଡ. ପାତ୍ର କହିଛନ୍ତି, ନିର୍ବାଚନ କମିଶନଙ୍କ ପାଖରେ ଏହି ଅଭିଯୋଗ ଆଣି ବିଜେପି ନିଜକୁ ଚାଷୀ ବିରୋଧୀ ବୋଲି ପ୍ରମାଣିତ କରିଛି । କାଳିଆ ଯୋଜନାରେ ଇର୍ଷାନ୍ୱିତ ବିଜେପି ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ନିମ୍ନ ସ୍ତରକୁ ଚାଲିଯାଇଛି । ଚାଷୀମାନେ ସରକାରୀ ସହାୟତା ପାଇବା ବିଜେପି ନେତାମାନଙ୍କୁ ଅସହ୍ୟ ହୋଇଛି । ଆମର ଦୃଢ଼ ବିଶ୍ୱାସ ଯେ, ରାଜ୍ୟର ଚାଷୀ ଭାଇ ଓ ସେମାନଙ୍କ ପରିବାର ବିଜେିର ଏହି ହୀନ ରାଜନୀତିକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି । ବିଜେପିର ଚାଷ ଓ ଚାଷୀ ବିରୋଧି ଆଭିମୁଖ୍ୟକୁ ଏହା ପଦାରେ ପକାଇ ଦେଇଛି । ଚାଷୀଙ୍କୁ କ୍ଷତି ପହଂଚାଇବା ପାଇଁ ବିଜେପିର ଉଦ୍ୟମକୁ ରାଜ୍ୟର ଚାଷୀକୂଳ କ୍ଷମା ଦେବେ ନାହିଁ ଏବଂ ଆଗାମୀ ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ଡ. ପାତ୍ର କହିଛନ୍ତି ।