ଆଠମଲ୍ଳିକ କେନ୍ଦୁପତ୍ର ଡ଼ିଭିଜନରେ ଦୁର୍ନିତିର ଗନ୍ଧ

Mar 16, 2019 - 13:33
 170
ଅନୁଗୋଳ ,୧୪/୩(ସକାଳଖବର): ଆଠମଲ୍ଲିକ କେନ୍ଦୁପତ୍ର ଡ଼ିଭିଜନ ଅନ୍ତର୍ଗତ କିଆକଟା ରେଞ୍ଜ ଧୂଳିଆପଡ଼ା ଫଡ଼ିରେ ବ୍ୟାପକ ଅନିୟମିତତା ହୋଇଛି । ଜାଲ ଦସ୍ତଖତରେ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ହସ୍ତଗତ ହୋଇଛି । ଆଠମଲ୍ଲିକ କେନ୍ଦୁପତ୍ର ଡ଼ିଏଫଓ କାର୍ଯ୍ୟାଳୟ (ପତ୍ର ସଂଖ୍ୟା ୫୨୭/ ୧.୩.୨୦୧୯) ରୁ ସୂଚନା ଅଧିକାର ଆଇନ ଜରିଆରେ ପ୍ରାପ୍ତ ତଥ୍ୟ ଅନୁଯାୟୀ ଭାଉଚର ନମ୍ବର ୨୧କେଟି ଏପ୍ରିଲ ୨୦୧୭ ରେ ଧୂଳିଆପଡ଼ା ଫଡ଼ି ମରାମତି ପାଇଁ ସୁଶୀଳ ପ୍ରଧାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି । ବାସ୍ତବରେ ଶ୍ରୀ ପ୍ରଧାନଙ୍କୁ କିନ୍ତୁ ମଜୁରୀ ବାବଦକୁ ମାତ୍ର ୮ଶହ ଟଙ୍କା ମିଳିଥିବା ଜଣାପଡ଼ିଛି । ଶ୍ରୀ ପ୍ରଧାନ ଏହା ନିଜେ ସ୍ୱୀକାର କରିଛନ୍ତି । ସେହିପରି ଭାଉଚର ନଂ୨୨ କେଟି ଏପ୍ରିଲ ୨୦୧୭ରେ ଫଡ଼ି ମରାମତି କାମ ପାଇଁ ବଳଭଦ୍ର ପ୍ରଧାନଙ୍କୁ ୧୦ ହଜାର ୯ଶହ ଟଙ୍କା ଦିଆଯାଇଥିବା ଉଲ୍ଲେଖ କରାଯାଇଛି । ବଳଭଦ୍ରଙ୍କୁ ଏହି ଟଙ୍କା ଏ ପର୍ଯ୍ୟନ୍ତ ମିଳି ପାରିନାହିଁ । ଉକ୍ତ ଫଡ଼ିରେ କାର୍ଯ୍ୟରତ ମୁନସୀ ଧରଣୀଧର କମ୍ପ ଏପଟେ ନିଜ ହାତକୁ ବଳଭଦ୍ରଙ୍କୁ ୪ ହଜାର ୫ଶହ ଟଙ୍କା ପ୍ରଦାନ କରିଥିବା କହିଛନ୍ତି । ବଳଭଦ୍ରଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀ କମ୍ପ ଏହି ଅର୍ଥ ଦେଇଥିବା କହିଛନ୍ତି । ଭାଉଚର ନଂ ୮କେଟି ମେ ୨୦୧୭ରେ ନିତ୍ୟାନନ୍ଦ ଭୋଇଙ୍କୁ ୧୬ହଜାର ୨୮୦ ଟଙ୍କା ଦିଆଯାଇଥିବା ଉଲ୍ଲେଖ ରହିଛି । ନିତ୍ୟାନନ୍ଦ କିନ୍ତୁ ମାତ୍ର ୩ ହଜାର ୨ଶହ ଟଙ୍କା ପାଇଥିବା କହିଛନ୍ତି । ଦିନମଜୁରିଆ ନିତ୍ୟାନନ୍ଦ ବଡ଼ କଷ୍ଟରେ ପରିବାର ପୋଷଣ କରୁଥିବା ବେଳେ ତାଙ୍କ ନାମରେ ବି ମିଥ୍ୟା ଭାଉଚର ଜରିଆରେ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଧୂଳିଆପଡ଼ା ଫଡ଼ିରେ ପତ୍ର ଶୁଖା ଲେଉଟା ଓ ଥାପି ମାରିବା (ଡ଼୍ରାଇଙ୍ଗ ଏଣ୍ଡ୍ ଷ୍ଟୋରେଜ) ଆଦି କାମ ପାଇଁ ବାଲିର ଆବଶ୍ୟକତା ରହିଛି । ଚାରି ଟ୍ରିପ ବାଲି ଅଣାଯାଇଥିବା ନେଇ ବି ମିଥ୍ୟା ଭାଉଚର କରାଯାଇଥିବା କୁହାଯାଇଛି । ବିଭାଗୀୟ ଅଧିକାରୀମାନେ ଚଞ୍ଚକତା କରି ବ୍ଲାଙ୍କ ଭାଉଚର ଫର୍ମାରେ ଶ୍ରମିକମାନଙ୍କଠାରୁ ଆଗୁଆ ଦସ୍ତଖତ କରାଇ ନେଇଛନ୍ତି । ପରବର୍ତ୍ତି ସମୟରେ ନିଜ ଇଚ୍ଛା ଅନୁସାରେ ମିଥ୍ୟା ଭାଉଚର ପ୍ରସ୍ତୁତ କରି ମୋଟା ଅଙ୍କର ଟଙ୍କା ସରକାରୀ ଅର୍ଥ ହଡ଼ପ କରିଥିବା କୁହାଯାଇଛି । ଫଡ଼ି ଗୃହର କାନ୍ଥ, ପିଲାର ଆଦି ନିର୍ମାଣରେ ନିମ୍ନମାନର କାମ ହୋଇଥିବା ଲୋକେ ଅଭିାଯୋଗ କରିଛନ୍ତି । ନିମ୍ନମାନର କାମ ଯୋଗୁଁ କେତେବେଳେ ତାହା ଭାଙ୍ଗିଯିବ କହିହେବ ନାହିଁ ବୋଲି କୁହାଯାଉଛି । ଏଭଳି କାମ ପାଇଁ ଫରେଷ୍ଟର, ରେଞ୍ଜ ଅଧିକାରୀଙ୍କ ଭୂମିକା ସନେ୍ଦହ ଘେରରେ ରହିଛି । ଅପରପକ୍ଷରେ ଫଡ଼ି ଘର ନିର୍ମାଣ ସଂକ୍ରାନ୍ତ ଖର୍ଚ୍ଚ ସଂପର୍କରେ ସୂଚନା ଅଧିକାର ଆଇନର ତଥ୍ୟ ମାଗି ଧୂଳିଆପଡା ଫଡ଼ିରା ମୁନସୀ ଧରଣୀଧର କମ୍ପ ଏବେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ୧ ତାରିଖରୁ ସବୁଆଡେ଼ କେନ୍ଦୁଗୋଛା କଟା କାମ ଆରମ୍ଭ ହୋଇଛି । ହେଲେ ଏହି ଫଡ଼ି ଅଞ୍ଚଳରେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ । ମୁନସୀ ଶ୍ରୀ କମ୍ପଙ୍କୁ କାମ ନଯୋଗାଇବା ପାଇଁ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି । କେନ୍ଦୁପତ୍ର ତୋଳିବା, ପତ୍ର ଶୁଖା, ଲେଉଟା, ଥାପି ମାରିବା ଆଦି କାମ ଯୋଗୁଁ ଅଞ୍ଚଳର ଗରିବ ଲେକଙ୍କୁ ଅନେକ ଦିନ ପର୍ଯ୍ୟନ୍ତ କର୍ମନିଯୁକ୍ତି ମିଳିଯାଇଥାଏ । ବିଭାଗର କେନ୍ଦୁଗୋଛା କଟା ବନ୍ଦ ନିଷ୍ପତ୍ତି ଯୋଗୁଁ ଏସବୁ କାମ କରି ପରିବାର ପୋଷୁଥିବା ଅଞ୍ଚଳର ଗରିବ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ିବ । ପ୍ରତ୍ୟେକ ସରକାରୀ କାର୍ଯ୍ୟରେ ଏବେ ଶ୍ରମିକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରାପ୍ୟ ପ୍ରଦାନ କରାଯାଉଥିବା ବେଳେ ଆଠମଲ୍ଲିକ କେନ୍ଦୁପତ୍ର ଡ଼ିଭିଜନର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।