୧୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ ମିଛ

Jul 27, 2018 - 19:13
 175
୧୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ ମିଛ
ଭୁୁବନେଶ୍ୱର,୨୭/୭ (ସକାଳଖବର): ଗରିବ ଲୋକଙ୍କୁ ପକ୍କା ଘର ମାମଲାରେ ମିଥ୍ୟା ତଥ୍ୟ ଦେଇ ବିଜ୍ଞାପନ ଜରିଆରେ ଓଡିଶା ସରକାର ରାଜ୍ୟବାସୀଙ୍କ ଆଖିରେ ଧୂଳି ଦେଉଥିବା କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଲ୍ଲେଖନୀୟ ଯେ, ବିଜେଡ଼ିର ବରିଷ୍ଠ ନେତା ଦାମୋଦର ରାଉତ ମଧ୍ୟ ପୂର୍ବରୁ ଏହି ପ୍ରସଙ୍ଗ ଉଠାଇଛନ୍ତି । ସେ ଏହି ପତ୍ରରେ କହିଛନ୍ତି ଯେ ଓଡିଶା ସରକାରଙ୍କ ନିଜସ୍ୱ ବିଜୁ ପକ୍କା ଘର ଯୋଜନାରେ ୨୦୧୪ରୁ ଆଜି ପର୍ଯ୍ୟନ୍ତ ଗ୍ରାମାଂଚଳରେ ୧୭ ଲକ୍ଷ କଚା ଘରକୁ ପକ୍କାଘରରେ ପରିବର୍ତନ କରିଥିବା ରାଜ୍ୟ ସରକାର ରଥଯାତ୍ରା ଅବସରରେ ବିଜ୍ଞାପନରେ ପ୍ରକାଶ କରିଛନ୍ତି । ମାତ୍ର ରାଜ୍ୟ ସରକାର ତାଙ୍କର ରୁରାଲ ହାଉସିଂ ୱେବସାଇଟରେ ବିଜୁ ପକ୍କା ଘର ଯୋଜନା, ବିଜୁ ପକ୍କାଘର ଯୋଜନା ଖଣି ଏବଂ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ମୋଟ ୨.୮ ଲକ୍ଷ ଘର ନିର୍ମାଣ କରିଥିବା ଉଲ୍ଲେଖ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପକ୍କା ଘର ମାମଲାରେ ମିଛ ତଥ୍ୟକୁ ପ୍ରଚାରିତ କରି କେନ୍ଦ୍ର ସରକାରଙ୍କ ଯୋଜନାରେ ନିର୍ମିତ ପକ୍କା ଘରକୁ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା କହି ମିଛ ପ୍ରଚାର କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଅବଗତ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମର ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ପଠାଇ କେଉଁ ଯୋଜନାରେ କେତେ ଘର ନିର୍ମାଣ ହୋଇଛି ତାହାର ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି । ଏହା ସହ ପକ୍କା ଘର ମାମଲାରେ ଏକ ସକ୍ରିୟ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଏହି ଜନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ସଂପର୍କରେ ଓଡିଶାବାସୀ ଜାଣି ପାରିବେ ଅନ୍ଧାରରେ ରହିବେ ନାହିଁ ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ଉେଲ୍ଲେଖ କରିଛନ୍ତି ।