ହାତୀ ସୁରକ୍ଷା ଚିନ୍ତା: ଘାଇଁ ଘାଇଁ ବାଜିବ ସାଇରନ୍, ଜଳିବ ନାଲିବତୀ

Jun 27, 2022 - 06:08
 47
ହାତୀ ସୁରକ୍ଷା ଚିନ୍ତା: ଘାଇଁ ଘାଇଁ ବାଜିବ ସାଇରନ୍, ଜଳିବ ନାଲିବତୀ
ଢେଙ୍କାନାଳ: ଗାଡି ଧକ୍କାରେ ଆଉ ହେବନି ହାତୀଙ୍କ ଜୀବନହାନୀ । ବିନା ଦ୍ୱିଧାରେ ଜାତୀୟ ରାଜପଥ ପାର୍ ହେବେ ହାତୀପଲ । ହାତୀପଲଙ୍କ ସୁରକ୍ଷା ପାଇଁ ୫୫ ନମ୍ବର ଜାତୀୟ ରାଜପଥରେ ଲାଗୁ ହୋଇଛି ନୂଆ ପାଇଲଟ ପ୍ରୋଜେକ୍ଟ ‘ଅଟୋମେଟିକ ସାଇରନ ମେସିନ୍’ । ହାତୀ ରାସ୍ତା ପାର୍ ହେଉଥିବା ବେଳେ ଘାଇଁ ଘାଇଁ ବାଜିବ ସାଇରନ୍, ଜଳିବ ନାଲିବତୀ । ଅଧିକାରୀଙ୍କ ମୋବାଇଲକୁ ଯିବ ଏସ୍ଏମ୍ଏସ୍ । ରାଜ୍ୟରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ । ପ୍ରାରମ୍ଭିକ ପର୍ୟ୍ୟାୟରେ ପ୍ରଥମେ ଢେଙ୍କାନାଳ ଜିଲ୍ଲାର ସଦର ରେଞ୍ଜ ମେରାମଣ୍ଡଳୀ ସେକ୍ସନର ହାତୀ ପ୍ରବଣ ସ୍ଥାନ ରସାସିଂହ ଓ ହଳଦିଆବାହାଳ ନିକଟରେ ଲଗାଯାଇଛି ଏହି ସାଇରନ୍ । ଏଥିରେ ରହିଛି ସେନ୍ସର, ସାଇରନ, ରେଡ ଲାଇଟ ଓ ଚାର୍ଜିଂ ପାଇଁ ସୋଲାର ପ୍ଲେଟ । ହାତୀପଲ ଯେତେବେଳେ ଏହି ରାସ୍ତା ପାର ହେବେ ସ୍ୱୟଂଚାଳିତ ଏହି ଯନ୍ତ୍ରରେ ଜଳିବ ରେଡ୍ ଲାଇଟ । ଘାଇଁ ଘାଇଁ ହୋଇ ବାଜିଉଠିବ ସାଇରନ୍ । ଏହା ୧ କିଲୋମିଟର ପର୍ୟ୍ୟନ୍ତ ଶୁଭିବା ସହିତ ତୁରନ୍ତ ଏକ ଏସ୍ଏମ୍ଏସ୍ ଅଧିକାରୀଙ୍କ ନିକଟକୁ ଯିବ । ଫଳରେ ସେହି ସମୟରେ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡି ଚାଳକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଅଟକି ରହିବେ । ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ସତର୍କ ହୋଇଯିବେ । ଏହାଦ୍ୱାରା କେବଳ ହାତୀପଲ ଯେ ସୁରକ୍ଷିତ ରାସ୍ତା ପାର ହେବେ ତା ନୁହେଁ ସାଧାରଣ ଲୋକ ମଧ୍ୟ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇପାରିବେ । ରାଜ୍ୟରେ ପ୍ରଥମ କରି ଏହି ପାଇଲଟ ପ୍ରୋଜେକ୍ଟ ଲାଗୁ ହୋଇଛି ।