କଟକରେ ବଢ଼ୁଛି ନିଶା କାରବାର
କଟକ: ୧୭/୫ (ସକାଳଖବର): କଟକ କମିଶନରେଟ ପୁଲିସ ଅଧିନରେ ନିଶା କାରବାରକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଥିବାବେଳେ ଏହି କାରବାର ବଢିବାରେ ଲାଗିଛି । ଛୋଟଛୋଟ ବେପାରୀ ଧରାପଡୁଥିବାବେଳେ ମୁଖ୍ୟ ବେପାରୀ ଆଦୌ ପୁଲିସ ଜାଲରେ ପଡୁନାହାନ୍ତି । ନାବଳକ, ମହିଳାଙ୍କ ଦ୍ୱାରା ଏହି ବେପାର କରି ବେପାରୀମାନେ ମାଲେମାଲ ହେଉଛନ୍ତି । ବିଶେଷକରି ପାନ ଦୋକନୀମାନେ ଗଞ୍ଜେଇ ବେପାରକୁ ଜୋରଦାର କରିଥିବାବେଳେ ଏମାନଙ୍କ ପ୍ରତି ପୁଲିସର ନଜର ରହୁନଥିବା ଅଭିଯୋଗ ହୋଇଛି । ଫଳରେ ଏହି ବେପାର ଚେର ମାଡ଼ିମାଡ଼ି ଚାଲିଛି । ତେବେ ଏନଡିପିଏସ ଓ ଏକ୍ସସାଇଜ ଆକ୍ଟରେ ଭୁବନେଶ୍ୱର ପୁଲିସ ଅନେକ ସଫଳତା ପାଉଥିବାବେଳେ କଟକ ପୁଲିସ ଆଖିଦୃଶିଆ ମାମଲା ରୁଜୁ କରିଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । କଟକର ଗଳିକନ୍ଧିରେ ନିଶା ବେପାର ବ୍ୟାପକ ହେଉଥିବାବେଳେ ପୁଲିସ ଏହାର ଗନ୍ଧବାସ୍ନା ପାଉନାହି । ଅନ୍ୟପକ୍ଷରେ ପୁଲିସ କୌଣସି ସୂରାକ ପାଉନାହି ନା ଏହି ଦିଗରେ ଧ୍ୟାନ ଦେବା ପାଇଁ ମନ ବଳାଉନାହି ସେ ନେଇ ନାନା ଚର୍ଚ୍ଚା ହେଉଛି । ତେବେ ପୁଲିସ ସୂଚନା ଅନୁସାରେ ଏହି ୫ବର୍ଷରେ ଏନଡିପିଏସ ଆକ୍ଟରେ କଟକ ପୁଲିସ ପକ୍ଷରୁ ୨୫ ମାମଲା ରୁଜୁ ହୋଇଥିବାବେଳେ ଏକ୍ସସାଇଜ ଆକ୍ଟରେ ୨୩୦୧ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ତେବେ ଏନଡିପିଏସ ଆକ୍ଟରେ ପୁଲିସ ପକ୍ଷରୁ ୨୦୧୩ ମସିହାରେ କୌଣସି ମାମଲା ରୁଜୁ ହୋଇନଥିବାବେଳେ ୨୦୧୪ରେ ୨ଟି ମାମଲା ରୁଜୁ ହୋଇଥିଲା । ସେହିପରି ୨୦୧୫ରେ ୫ଟି, ୨୦୧୬ରେ ୬ଟି ଓ ୨୦୧୭ ମସିହାରେ ସର୍ବାଧିକ ୧୨ଟି ମାମଲା ରୁଜୁ ହୋଇଥିଲା । ସେହିପରି ଏକ୍ସସାଇଜ ଆକ୍ଟରେ ୨୦୧୭ରେ ସର୍ବାଧିକ ୬୦୩ ମାମଲା ରୁଜୁ ହୋଇଥିବାବେଳେ ୨୦୧୬ରେ ୫୯୦, ୨୦୧୫ରେ ୪୬୨, ୨୦୧୪ରେ ୪୦୪ ମାମଲା ରୁଜୁ ହୋଇଥିବାବେଳେ ୨୦୧୩ ମସିହାରେ ୨୪୨ଟି ମାମଲା ରୁଜୁ ହୋଇଥିଲା । ଏହି ସମୟରେ ଭୁବନେଶ୍ୱର ପୁଲିସ ପକ୍ଷରୁ ଏନଡିପିଏସ ଆକ୍ଟରେ ୨୦୧୭ମସିହାରେ ୪୩ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୬ରେ ୨୮, ୨୦୧୫ରେ ୭, ୨୦୧୪ରେ ୭, ୨୦୧୩ ମସିହାରେ ଗୋଟିଏ ମାତ୍ର ମାମଲା ରୁଜୁ ହୋଇଥିଲା । ସେହିପରି ଏକ୍ସସାଇଜ ଆକ୍ଟରେ ୨୦୧୭ମସିହାରେ ୩୯୧ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୬ରେ ୪୦୧, ୨୦୧୫ରେ ୩୫୮, ୨୦୧୪ରେ ୨୮୦, ୨୦୧୩ ମସିହାରେ ୧୫୦ ମାମଲା ରୁଜୁ ହୋଇଥିଲା । ତେବେ ନିଶା ବେପାରୀଙ୍କ ସଂପର୍କରେ ଗୁପ୍ତ ତଥ୍ୟ ସଂଗ୍ରହ କରି କଟକ ପୁଲିସ ଚଢାଉ ଅଭିଯାନକୁ ଜୋରଦାର କଲେ, ବେପାର ମାତ୍ରା ହ୍ରାସ ପାଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।