ହନିଟ୍ରାପରେ ଫସାଇଥିଲା କେଉଁ ଯୁବତୀ ?

Sep 22, 2021 - 06:19
 137
ହନିଟ୍ରାପରେ ଫସାଇଥିଲା କେଉଁ ଯୁବତୀ ?
ଭୁବନେଶ୍ୱର : ଡିଆରଡିଓରୁ ତଥ୍ୟ ପ୍ରଘଟ ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି । ହନିଟ୍ରାପରେ ଫସି କେତେକ କର୍ମଚାରୀ ଏଭଳି ଦେଶଦ୍ରୋହୀ କାର୍ଯ୍ୟ କରାଇବାକୁ ପଛାଇନାହାନ୍ତି । ଏହି ଯୁବତୀ ଜଣଙ୍କ କିଏ ? ସେନେଇ ସାମାନ୍ୟ ତଥ୍ୟ ମିଳିପାରିଛି । କ୍ରାଇମବ୍ରାଂଚ ଏହି ଯୁବତୀଙ୍କ ନିକଟରେ ପହଁଚି ପାରୁଛି କି ନାହିଁ, ଯଦି ପହଁଚିବ କେବେ ? ସେହି ପ୍ରଶ୍ନ ଏବେ ସମସ୍ତଙ୍କୁ ଆଲୋଡ଼ିତ କରିଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଆଇଟିଆର (ସମନ୍ୱିତ ପରୀକ୍ଷଣ କେନ୍ଦ୍ର) ତଥ୍ୟ ଚୋରି ମାମଲାର ଗୁମର ଫିଟାଇଛି କ୍ରାଇମବ୍ରାଂଚ । ୩ ନମ୍ବର ଲଂଚ ପ୍ୟାଡରେ କାର୍ଯ୍ୟରତ ୫ କର୍ମଚାରୀଙ୍କୁ ଯେଉଁ ଯୁବତୀ ଫୋନ କରିଥିଲେ, ସେହି ଫୋନ କଲ ୟୁକେର ଏକ ନମ୍ବରରୁ ଆସିଥିଲା । ଯୁବତୀ ଜଣକ କିନ୍ତୁ ଦେଶର ଭିନ୍ନ ଭିନ୍ନ ଠିକଣା ଓ ପରିଚୟରେ ଏମାନଙ୍କ ସହିତ କଥା ହେଉଥିଲେ । କେତେବେଳେ ଚଣ୍ଡୀଗଡ଼ ତ କେତେବେଳେ ନିଜକୁ ବେଙ୍ଗାଲୁରୁର ବାସିନ୍ଦା ବୋଲି ପରିଚୟ ଦେଉଥିଲେ । ଅନ୍ୟପଟେ ଦୁବାଇର ଏକ ଆକାଉଣ୍ଟରୁ ଆଇଟିଆରର ଗିରଫ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୮ ହଜାର ଟଙ୍କା ଆସିଥିବାର ପ୍ରମାଣ ମିଳିଛି । ଅନ୍ୟ ୪ ଜଣଙ୍କ ଆର୍ଥôକ କାରବାର ସମ୍ପର୍କରେ ଅଧିକ ଜେରା କରାଯାଉଛି । ଅନ୍ୟମାନଙ୍କ ନିକଟକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଟଙ୍କା ବ୍ୟାଙ୍କ କିମ୍ବା ଏଜେଣ୍ଟ ମାଧ୍ୟମରେ ଆସିଥିଲା, ସେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ସୂଚନା ଅନୁଯାୟୀ, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗିରଫ କର୍ମଚାରୀଙ୍କ ରିମାଣ୍ଡର ଚତୁର୍ଥ ଦିନ ଥିଲା । ଆସନ୍ତା ୨୪ ତାରିଖରେ ଏମାନଙ୍କ ରିମାଣ୍ଡ ଅବଧି ଶେଷ ହେବାକୁ ଯାଉଛି । କ୍ରାଇମବ୍ରାଞ୍ଚ ମୁଖ୍ୟତଃ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ମହିଳା ଏଜେଣ୍ଟକୁ ଠାବ କରିଛି । ସମ୍ପୃକ୍ତ ଏଜେଣ୍ଟ କଥାବାର୍ତ୍ତା ହେଉଥିବା ୟୁକେର ଫୋନ ନମ୍ବର କ୍ରାଇମବ୍ରାଞ୍ଚ ଚିହ୍ନଟ କରିଛି । ଏହି ଯୁବତୀ ପ୍ରଥମେ ଫେସବୁକରେ ସମ୍ପର୍କ ଯୋଡ଼ି ଫେସବୁକ ମେସେଞ୍ଜର ମାଧ୍ୟମରେ ଆଇଟିଆର କର୍ମଚାରୀଙ୍କ ସହିତ ଚାଟିଂ କରିଥିଲେ । ପରେ ହ୍ୱାଟସଆପ ମାଧ୍ୟମରେ ଚାଟିଂ କରି ଖବର ଆଦାନ ପ୍ରଦାନ କରିଥିଲେ ।