ସିଡିଏ ସେକ୍ଟର-୭ ସିଏଚସିରେ ପଡିନି ଶଯ୍ୟା, ନାହାନ୍ତି ଡାକ୍ତର

Jun 27, 2018 - 18:27
 190
କଟକ, ୨୭ା୬(ସକାଳଖବର) : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ)ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ଗତ ଡିସେମ୍ବର ୩୦ ତାରିଖରେ ସିଡିଏ ସେକ୍ଟର ୭ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ ହୋଇଥିଲା । ଫଳରେ ସିଡିଏ ଓ ବିଡାନାସୀ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଥିଲା । କିନ୍ତୁ ଉଦ୍ଘାଟନର ସାଢେ ୬ମାସ ପରେ ବେଡ୍ଟିଏ ପଡିନଥିବାବେଳେ ବିଶେଷଜ୍ଞ ଆସୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ୩୦ ହଜାର ବର୍ଗଫୁଟ ବିିଶିଷ୍ଟ ସିଡିଏ ଜାଗାରେ ଗତ ୨୦୧୫ ମସିହାରେ ଏହି ହସ୍ପିଟାଲର ଭି୍ତିପ୍ରସ୍ତର ସ୍ଥାପନ କରାଯାଇଥବାବେଳେ ୫କୋଟି ଟଙ୍କା ବ୍ୟୟରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମିତ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୨ଟି ବେଡ୍ ବ୍ୟବସ୍ଥା କରାଯିବ । ଫଳରେ ଆଶୁ ଚିକିତ୍ସା କେନ୍ଦ୍ରଭାବେ ଏହା କାର୍ଯ୍ୟ କରିବ । ପରେ ଚିକିତ୍ସିତ ରୋଗୀକୁ ବଡ ମେଡିକାଲକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ପୁନଶ୍ଚ ଉଦଘାଟନପରେ ୩୦ଟି ବେଡ ବ୍ୟବସ୍ଥା ରହିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ କାଜୁଆଲିଟି, ଅପରେସନ ଥିଏଟର, ଏକ୍ସ ରେ ଆଦି କାର୍ଯ୍ୟ କରିବ । ସେହିପରି ଏଠାରେ ଜଣେ ବିଶେଷଜ୍ଞ ରହିବାକୁ ଥିବାବେଳେ ପ୍ରସୂତି, ଶିଶୁ ରୋଗ, ମେଡିସିନ ଆଦି ୬ଟି ବିଭାଗରେ ଡାକ୍ତର କାର୍ଯ୍ୟ କରିବେ । ଭବିଷ୍ୟତରେ ଡାକ୍ତରଙ୍କ ରହିବା ପାଇଁ କ୍ୱାର୍ଟର୍ସ ବ୍ୟବସ୍ଥା କରାଯିବାକୁ ଯୋଜନା ରହିଥିବା ସୂଚନା ଦିଆଯାଇଥିଲା । କିନ୍ତୁ ଦେଢ ମାସ ପରେ ମଧ୍ୟ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରିଲା ନାହିଁ । ଏବେ କେବଳ ଜେନେରାଲ ମେଡିସିନ ବିଭାଗର ଜଣେ ଡାକ୍ତର ସକାଳେ ଓ ସନ୍ଧ୍ୟାରେ ଉପସ୍ଥିତ ରହି ରୋଗୀ ଦେଖିବାକୁ ଆସୁଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଆମ କ୍ଲିନିକ ଯୋଜନା ଅନୁସାରେ ବିଶେଷଜ୍ଞ ସେବା ସହିତ ମାଗଣା ଓøଷଧ, ଲାବୋରେଟୋରୀ ସେବା ଓ ପରାମର୍ଶ ମିଳିବା କଥା । କିନ୍ତୁ ଏଠାରେ ବର୍ତ୍ତମାନ ସୁଦ୍ଧା ବିଶେଷଜ୍ଞଙ୍କ ଦେଖାମିଳୁନାହିଁ । ହସ୍ପିଟାଲରେ ଲାବୋରେଟୋରୀ ବ୍ୟବସ୍ଥା କରାଯାଇନାହିଁ । ଫଳରେ ଜ୍ୱର ହେଉଥିବା ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ପରେ ଘରୋଇ ପାଥୋଲାବକୁ ରକ୍ତ ପରୀକ୍ଷାପାଇଁ ଯାଉଛନ୍ତି । ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରାଜ୍ୟ ସରକାରଙ୍କ ତରଫରୁ ନିରାମୟ କେନ୍ଦ୍ର ଖୋଲିଛି । କିନ୍ତୁ ସେଠାରେ ଉପଲବ୍ଧ ଓøଷଧକୁ ଡାକ୍ତର ଲେଖୁନାହାନ୍ତି । ଉନ୍ନତ ମାନର ଆଳଦେଖାଇ ଦାମୀ ଔଷଧ ଘରୋଇ ମେଡିସିନ ଷ୍ଟୋରରୁ କିଣିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି । ଫଳରେ ଔଷଧାଳୟ ଓ ପାଥୋଲାବ ମାଲିକ ଲାଭବାନ ହେଉଛନ୍ତି ସିନା କିନ୍ତୁ ନିରାମୟ ବା ଆମ କ୍ଲିନିକ ଯୋଜନାର ସୁଫଳକୁ ସାଧାରଣ ଲୋକେ ପାଇପାରୁନାହାନ୍ତି । ସରକାରୀ ଯୋଜନା ଲୋକଙ୍କ ପାଇଁ ‘ଆକାଶ କଇଁଆ ଚିଲିକା ମାଛ’ ସଦୃଶ ପାଲଟିଛି ।