ସାବଧାନ ! ଆଜି ଏହି ଅଂଚଳରେ ହେବ ବଜ୍ରପାତ

Apr 24, 2022 - 11:03
 58
ସାବଧାନ ! ଆଜି ଏହି ଅଂଚଳରେ ହେବ ବଜ୍ରପାତ
ଭୁବନେଶ୍ୱର : ଗୋଟିଏ ପଟେ ଗ୍ରୀଷ୍ମ ଲହରୀ ଜାରି ରହିଥିବାବେଳେ ଅପରପକ୍ଷରେ କେତେକ ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ରାୟଗଡ଼ା, କୋରାପୁଟ ଓ ମାଲକାନାଗିରିରେ ଅପରାହ୍ନରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ଅଛି । ଏହି ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ରାଜଧାନୀ ସତେଯେମିତି ଏବେ ତତଲା ତାୱା ଉପରେ ଅଛି । ପ୍ରଚଣ୍ଡ ଗ୍ରୀଷ୍ମରେ ଜନଜୀବନ ଆଉଟପାଉଟ ହୋଇଯାଇଛି । ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି । ଖାଲି ଭୁବନେଶ୍ୱର ନୁହେଁ ରାଜ୍ୟର ବହୁ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଆହୁରି ଦି ଚାରିଦିନ ମଧ୍ୟ ସାରା ରାଜ୍ୟରେ ତାତି ବଢ଼ିବ । ଅପରପକ୍ଷରେ ଜରୁରୀ କାମ ନଥିଲେ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଦିନ ସାଢେ଼ ୨ଟା ସୁଦ୍ଧା ରାଜଧାନୀର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଥିଲା । ସେହିପରି ଆଉ ୫ଟିି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଝାରସୁଗୁଡ଼ାର ତାପମାତ୍ରା ୪୧.୪ ଡିଗ୍ରୀ ଥିବାବେଳେ ସମ୍ବଲପୁର ତାପମାତ୍ରା ୪୦.୮ ଡିଗ୍ରୀ, ଚାନ୍ଦବାଲିର ତାପମାତ୍ରା ୪୦.୮ ଡିଗ୍ରୀ, ହୀରାକୁଦ ଓ କେନ୍ଦୁଝରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ରହିଛି । ଅହସ୍ୟ ଗ୍ରୀଷ୍ମ ଲହରୀ ଯୋଗୁଁ ରାସ୍ତାଘାଟ ଖରାବେଳେ ଖାଁ ଖାଁ ରହୁଛି । ପଦାକୁ ବାହାରିବା ମାତ୍ରେ ଦେହ ଜଳିଯିବା ଭଳି ଅନୁଭୂତ ହେଉଛି ।