ସାଧାରଣ ନିର୍ବାଚନକୁ ବଳିଗଲା ମୟୂରଭଞ୍ଜ ଜିଲ୍ଲା ପରିଷଦ ଉପନିର୍ବାଚ
ବାରିପଦା: ୪/୧୨(ସକାଳଖବର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସାରସକଣା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ତଥା ମୟୂରଭଞ୍ଜ ଜିଲ୍ଲା ପରିଷଦର ଜୋନ ନଂ ୩୨(ବିଜାତଳା-୨)ରେ ଡ଼ିସେମ୍ବର ୬ରେ ହେବାକୁ ଥିବା ଉପନିର୍ବାଚନର ମତଦାନ ଉପରେ ସମସ୍ତଙ୍କ ନଜର ରହିଛି । ବହୁ ପ୍ରତିକ୍ଷିତ ଉକ୍ତ ଉପନିର୍ବାଚନର ଫଳାଫଳକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବିଜୟକୁ ନେଇ ଶାସକ ବିଜଦ, ଭାଜପା, ଝାମୁମୋ ଓ କଂଗ୍ରେସ ଶିବିର ଅଧିକ ଉତ୍ସାହିତ ହୋଇପଡ଼ିଥିବା ବେଳେ ଶାସକ ବିଜଦର ପାଲା ଭାରି ରହିଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଆଲୋଚନା ଓ ପର୍ଯ୍ୟାଲୋଚନାରୁ ଜଣାପଡ଼ିଛି ।
ବିଜାତଳା ପଞ୍ଚାୟତର ୧୩ ୱାଡର଼୍, ବଣକାଟିର ୨୩, ଲୁହାଶିଳାର ୧୧, ମୁଣ୍ଡାଠାକୁରାର୧୨ ଓ ରାଇହରି ପଞ୍ଚାୟତର ୨୩ ୱାଡର଼୍ ଏହିପରି ୫ଟି ଗ୍ରାମାଞ୍ଚାୟତ ଅଧୀନରେ ରହିଥିବା ୮୨ଟି ୱାଡର଼୍ର ମୋଟ ୨୩ହଜାର ୧୪୬ ଭୋଟରଙ୍କୁ ନେଇ ଗଠିତ ୩୨ନଂ ଜିଲ୍ଲା ପରିଷଦ । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପା ପ୍ରାର୍ଥୀ ଛୋଟରାୟ ମାର୍ଣ୍ଡି (୬୯୨୦) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଝାମୁମୋ ପ୍ରାର୍ଥୀ ସତ୍ୟନାରାୟଣ ବାନାରା(୫୧୭୪)ଙ୍କୁ ୧୭୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିବା ବେଳେ ବିଜଦ ପ୍ରାର୍ଥୀ ଦୀପକ କୁମାର ମୁର୍ମୁ ୩୨୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ଏବଂ କଂଗ୍ରେସ ସହିତ ୪ ସ୍ୱାଧୀନ ପ୍ରାର୍ଥୀଙ୍କ ଅମାନତ ବ୍ୟାଜ୍ୟାପ୍ତ ହୋଇଯାଇଥିଲା । ୨୦୧୮ ଜାନୁଆରୀରେ ଭାଜପା ଜିଲ୍ଲାପରିଷଦ ସଦସ୍ୟ ଛୋଟରାୟ ମାର୍ଣ୍ଡିଙ୍କ ମୃତୁ୍ୟ ପରେ ଡ଼ିସେମ୍ବର ୬ରେ ଉକ୍ତ ଜିଲ୍ଲା ପରିଷଦ ନିମନ୍ତେ ଉପନିର୍ବାଚନ ହେଉଥିବାରୁ ଭାଜପା ତାରସ୍ଥିତିକୁ ବଜାଇ ରଖିବା ପାଇଁ ବିଜାତଳା ବ୍ଲକ ସଭାପତି କୁତୁଲୁ ହାଁସଦାଃଙ୍କୁ ଛିଡ଼ା କରାଇଛି । ସେହିପରି ମୟୂରଭଞ୍ଜରେ ଝାମୁମୋ ନିଜର ପ୍ରାର୍ଥୀ ତଥା ରାଜ୍ୟ ସଭାପତି ମହେଶ ହେମ୍ବ୍ରମଙ୍କ ପାଖ ଲୋକ ମୀନା ସୋରେନଙ୍କୁ ଜିତାଇ ମୟୂରଭଞ୍ଜ ଜିଲ୍ଲାରେ ଏକ ମହାଶକ୍ତି ଭାବେ ପ୍ରତିପାଦିତ କରାଇବାର ଲକ୍ଷ୍ୟ ରଖି ମଇଦାନକୁ ଉହ୍ଲାଇଛି । କଂଗ୍ରେସ ମଧ୍ୟ ନିଜର ଅଣ୍ଟାା ସଳଖ କରିବାର ଉଦ୍ୟମ ଚଳାଇ ସୁଦର୍ଶନ ମୁର୍ମୁଙ୍କୁ ଛିଡ଼ା କରାଇଥିବା ବେଳେ ଭାଜପାର ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ଝାଡ଼ଖଣ୍ଡ ଦିଶମ ପାର୍ଟିରୁ ଶାଙ୍ଖ ମାର୍ଣ୍ଡି, ଆଜସୁରୁ ଯଦୁନାଥ ଟୁଡ଼ୁ, , ମାସା ପକ୍ଷରୁ ଅଇଁଠୁ ଟୁଡ଼ୁ, ଆପ୍ରୁ ରାମରାଜନ ସୋରେନ, ସ୍ୱାଧୀନ ପ୍ରାର୍ଥୀ ଭାବେ କାହ୍ନୁ ବାସ୍କେ, ସୂର୍ଯ୍ୟ ହେମ୍ବ୍ରମ ଏହିପରି ମୋଟ ୧୦ ଜଣ ପ୍ରାର୍ଥୀ ମଇଦାନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ।
୨୦୧୪ ବିଧାନସଭା ନିର୍ବାଚନ ସମୟରେ ଝାମୁମୋର ତକ୍ରାଳୀନ ଜିଲ୍ଲା ସଭାପତି ଭାଦବ ହାଁସଦା ବିଜଦରେ ସାମିଲ ହୋଇ ସାରସକଣା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହି ସମୟରୁ ବିଜଦର ସାରସକଣା ନିର୍ବାଚନ ମଣ୍ଡଳୀରେ ଜୁଲୁ ନନା ଭାବେ ସର୍ବସମ୍ମୁଖରେ ପରିଚିତ ଲୋକପ୍ରିୟ ନେତା ଓ ତାଙ୍କ ସମର୍ଥକମାନଙ୍କ ସହିତ ବିଧାୟକ ହାଁସଦାଃଙ୍କ ମତାନ୍ତର ଉଗ୍ରରୂପ ଧାରଣ କରିଥିଲା । ଫଳରେ ବିଜଦ ଅନ୍ତଦ୍ୱର୍ନ୍ଦରୁ ଫାଇଦା ଉଠାଇଥିଲା ଭାଜପା । ମାତ୍ର ଚଳିତ ଉପନିର୍ବାଚନରେ ସାଂସଦ ରାମଚନ୍ଦ୍ର ହାଁସଦାଃଙ୍କ ପାଖ ଲୋକଙ୍କୁ ବିଜଦ ଟିକଟ ଦେଇଛି । ବର୍ତ୍ତମାନ ମଧ୍ୟ ସାଂସଦ ଶ୍ରୀହାଁସଦାଃଙ୍କର ସାରସକଣା ଓ ଯଶିପୁର ନିର୍ବାଚନ ମଣ୍ଡଳୀରେ ଜଣେ ଲୋକପ୍ରିୟ ରାଜନେତା ଭାବେ ନାମ ରହିଛି । ତେଣୁ ବିଜଦର ଭୋଟର ବିଭାଜନ ହେବାର ସମ୍ଭାବନା ମଧ୍ୟ ନାହିଁ । ପୁଣି ମୁଖ୍ୟମନ୍ତ୍ରୀ ନବୀନ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଝାମୁମୋର ପୂର୍ବତନ ବିଜାତଳା ବ୍ଲକ ସଭାପତି ଦିବାକର ସୋରେନ ଝାମୁମୋ ତ୍ୟାଗ କରି ଏବଂ ବିଭିନ୍ନ ଦଳରୁ କେତେକ କର୍ମୀ ଓ ନେତା ମଧ୍ୟ ବିଜଦରେ ସାମିଲ ହୋଇଛନ୍ତି । ଯାହା ବିଜଦକୁ ଉପନିର୍ବାଚନରେ ସ‘ଳତାର ମାର୍ଗରେ ଆଗେଇ ନେବାର ଅଧିକ ସମ୍ଭାବନା ସୃଷ୍ଟି କରାଇଛି ।
୩୨ନଂ ନଂ ଜୋନର ୨୩ହଜାର୧୪୬ ଭୋଟରଙ୍କ ମଧ୍ୟରୁ ପ୍ରାୟ ୭୫ ପ୍ରତିଶତରୁ ଅଧିକ ଭୋଟର ଅନୁସୂଚିତ ଜନଜାତି ବର୍ଗର । ଏମାନଙ୍କ ମଧ୍ୟରେ ସାନ୍ତାଳ, ହୋ, ଭୂମିଜ, ବାଥୁଡ଼ି, ଭୂୟାଁ, କୋହ୍ଲ ଆଦି ଜନଜାତି ରହିଛନ୍ତି । ଉପନିର୍ବାଚରେ ଏହି ବର୍ଗର ଭୋଟରମାନେ ବିଜଦ ଓ ଝାମୁମୋ ସପକ୍ଷରେ ଓ ସାଧାରଣ ବର୍ଗରେ ରହିଥିବା ମହାନ୍ତ ସମ୍ପ୍ରଦାୟର ଭୋଟ ଭାଜପା ସପକ୍ଷରେ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ପୁଣି ଗଉଡ଼ ସମ୍ପ୍ରଦାୟ ଭୋଟ ଭାଗ ଭାଗ ହେବାର ଅଧିକ ସମ୍ଭାବନା ରହିଛି । ମୋଟ ଉପରେ ଭାଜପା, ଝାମୁମୋ ଓ ବିଜଦ ମଧ୍ୟରେ କଣ୍ଟା କି ବରାବର ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିବା ବେଳେ ବିଜଦର ପାଲା ଭାରି ବୋଲି ରାଜନୀତି ବିଶାରଦମାନେ ପୂର୍ବାନୁମାନ କରିଛନ୍ତି ।
ଉକ୍ତ ଜିଲ୍ଲାପରିଷଦ ଉପନିର୍ବାଚନରେ ଭୋଟରମାନଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରାଇବା ନିମନ୍ତେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ହାଇପ୍ରୋଫାଲ ପ୍ରଚାର କାର୍ଯ୍ୟ ଜାରି ରହିଛି । ନେତା ଓ ପ୍ରାର୍ଥୀମାନେ ଗାଁକୁ ଗାଁ, ଘରକୁ ଘର ବୋଲି ବୋଲି ପ୍ରଚାର ଚଳାଇଛନ୍ତି । ବିଜଦର ପର୍ଯ୍ୟବେକ୍ଷକ ଡ଼ଃ. ଅରୁଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାରସକଣା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ବିଧାୟକ ପ୍ରଣବ ବଳବନ୍ତରାୟ, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ବିଜଦ ଜିଲ୍ଲା ସଭାପତି ତଥା ମୋରଡ଼ା ବିଧାୟକ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବିଧାୟକ ଉମା ସାମନ୍ତରାୟ, ମୁକ୍ତିକାନ୍ତ ମଣ୍ଡଳ, ବ୍ୟୋମକେଶ ରାୟ, ଗଣେଶ୍ୱର ପାତ୍ର, ସୁଦାମ ମାର୍ଣ୍ଡି, ଏସଡ଼ିସି ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି, ସାଂସଦ ଅନୁଭବ ମହାନ୍ତି ପ୍ରମୁଖ ହେଭିୱେଟ ନେତାମାନେ ଗୋଟାଏ ଗୋଟାଏ ପଞ୍ଚାୟତ ଦାୟିତ୍ୱରେ ରହି ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ସେହିପରି ଭାଜପାର ରାଜ୍ୟ ଉପସଭାପତି ରାଜ କିଶୋର ଦାସ, ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର, ପଶ୍ଚିମ ଜିଲ୍ଲା ସଭାପତି ନବୀନ ରାମ, ଜିଲ୍ଲା ସମ୍ପାଦକ ସରୋଜ କୁମାର ମହାନ୍ତ, ଲକ୍ଷ୍ମୀଧର ହାବଡ଼ା, ପ୍ରଦୀପ ମହାନ୍ତି, ମଳୟ ଜେନା, ନାରାୟଣ ପଟ୍ଟନାୟକ, ନବ ଚରଣ ମାଝି, ଛବି ମହାଲି ପ୍ରମୁଖ ପ୍ରଚାର ଚଳାଇଥିବା ବେଳେ, ଅପରାଜିତା ମହାନ୍ତି, ପ୍ରତାପ ଷଢ଼ଙ୍ଗୀ, ମହାଶ୍ୱେତା ରାୟ, ପିଙ୍କି ପ୍ରଧାନ ପ୍ରମୁଖ ହେଭିୱାଟ ନେତାମାନେ ପ୍ରଚାରରେ ଆସିବାର କାର୍ଯ୍ୟକ୍ରମ ରହିଛି । ଝାମୁମୋ ମଧ୍ୟ ନିଜର ପ୍ରଚାରକୁ ଅଧିକ ଜୋରଦାର କରିଛି । ବରିଷ୍ଠ ନେତ୍ରୀ ଅଙ୍ଜନୀ ସୋରେନ, ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ଜିଲ୍ଲା ସଭାପତି ‘ାଗୁ ହାଁସଦାଃ, ପୂର୍ବତନ ମନ୍ତ୍ରୀ ଅଜେନ ମୁର୍ମୁ, ରାମଚନ୍ଦ୍ର ମୁର୍ମୁ, ସୁନୀଲ ମାଝୀ, ନିମାଇଁ ତ୍ରିପାଠୀ, ଦିଲ୍ଲୀପ ଦାସ, ସତ୍ୟବାନ ପାଲ ପ୍ରମୁଖ ନିର୍ବାଚନକୁ ଜିଣିବା ନିମନ୍ତେ ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି