ସବୁଜ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Jul 27, 2018 - 17:31
 130
ସବୁଜ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭/୭ (ସକାଳଖବର): ଚଳିତ ବର୍ଷ ବିଶ୍ୱକପ୍ ହକି ୨୦୧୮କୁ ଦୃଷ୍ଟିରେ ରଖି ସବୁଜ ଓଡିଶା ଗଠନ ଲକ୍ଷ୍ୟରେ ବିଜୁ ଯୁବ ବାହିନୀ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ସାମାଜିକ ବନୀକରଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବିଜୁ ଯୁବ ବାହିନୀର ସ୍ୱତନ୍ତ୍ର ମୋବାଇଲ ଆପ୍ କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀ ସାରାରାଜ୍ୟରେ ୩୦ ଲକ୍ଷ ଗଛ ଚାରା ଲଗାଇବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପରିବେଶର ସୁରକ୍ଷା ପାଇଁ ଗଛର ମହତ୍ୱ ବେଶି । ତେଣୁ ରାଜ୍ୟ ସରକାର ପରିବେଶ ସୁରକ୍ଷା ପାଇଁ ବନୀକରଣ ଉପରେ ସ୍ୱତନ୍ତ୍ର୍ର ଗୁରୁତ୍ୱ ନେଇଛନ୍ତି । ଏଥିପାଇଁ ସବୁଜ ମହାନଦୀ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ୨ କୋଟି ଗଛ ଲଗାଯିବାର ଯୋଜନା ରହିଛି । ସେହିପରି ଚଳିତ ବର୍ଷ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ୫କୋଟି ଗଛ ଲଗାଇବାର ଯୋଜନା ରହିଛି । ବିଜୁ ଯୁବ ବାହିନୀଙ୍କ ସବୁଜ ଓଡିଶା ମିଶନକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଲ କାମ କରନ୍ତୁ ମୁଁ ଆପଣଙ୍କ ସାଥିରେ ଅଛି । ବିଜୁ ଯୁବ ବାହିନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଅରୂପ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ବିଧାୟକ ବିଜୟ ମହାନ୍ତି , ପ୍ରିୟଦର୍ଶୀ ମିଶ୍ର , ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର , କ୍ରୀଡା ବିଭାଗ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।