ଧାମରା ଏଲ୍ଏନ୍ଜି ଟର୍ମିନାଲ ପାଇଁ ଆଦାନୀ ପୋର୍ଟସ୍ ଓ ଗେଲ୍ (ଇଣ୍ଡିଆ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

Jul 27, 2018 - 17:45
 157
ଧାମରା ଏଲ୍ଏନ୍ଜି ଟର୍ମିନାଲ ପାଇଁ ଆଦାନୀ ପୋର୍ଟସ୍ ଓ ଗେଲ୍ (ଇଣ୍ଡିଆ) ମଧ୍ୟରେ  ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର,୨୭/୭ (ସକାଳଖବର): ଭାରତର ବୃହତମ ବନ୍ଦର ବିକାଶ ଏବଂ ଆଦାନୀ ଗ୍ରୁପର ଏକ ଅଂଶ, ଆଦାନୀ ପୋର୍ଟସ୍ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର (ଏପିଏସ୍ଇଜେଡ଼୍) ଜୁଲାଇ ୨୬ ତାରିଖରେ ଗେଲ୍ (ଇଣ୍ଡିଆ) ଲିମିଟେଡ ସହ ଏକ ଦୀର୍ଘମିଆଦୀ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ବୁଝାମଣାପତ୍ର ଅନୁଯାୟୀ ଓଡ଼ିଶାସ୍ଥିତ ଧାମରାରେ ଆଗାମୀ ଏଲ୍ଏନ୍ଜି ଆମଦାନୀ ଟର୍ମିନାଲରେ ବ୍ୟବହାରିକ କିମ୍ବା ଦେୟଭିତିକ ଭାବେ ଏଲ୍ଏନ୍ଜି ପୁନଃବାଷ୍ପୀକରଣ ସେବା ଯୋଗାଇଦିଆଯିବ । ଏହି ବୁଝାମଣାପତ୍ର ଅନୁଯାୟୀ ଗେଲ୍ (ଇଣ୍ଡିଆ) ୨୦ ବର୍ଷ ପାଇଁ ବାର୍ଷିକ ୧.୫ ଏମ୍ଟିପିଏର କ୍ଷମତା ସଂରକ୍ଷଣ କରିଛି ଏବଂ ଗେଲ୍ ପୂର୍ବାଂଚଳରେ ଥିବା ଏହାର ମୂଲ୍ୟବାନ ଗ୍ରାହକ ଏବଂ ଜଗଦୀଶ୍ପୁର-ହଳଦିଆ ଗ୍ୟାସ ଗ୍ରୀଡ୍ ପ୍ରକଳ୍ପ ଅନ୍ତର୍ଗତ ଗ୍ରାହକମାନଙ୍କୁ ଗ୍ୟାସ ଯୋଗାଇ ଦେବାର ଲକ୍ଷ୍ୟ ରଖିଛି । ଗେଲ୍ ସହ ସହଭାଗୀତାରେ ଏଲ୍ଏନ୍ଜି ଆମଦାନୀ ବ୍ୟବସ୍ଥା, ଆଦାନୀ ପୋର୍ଟ ନିମନ୍ତେ ଏକ ଉଲ୍ଳେଖନୀୟ ମାଇଲଖୁଂଟ ଅଟେ । ଏହି ପ୍ରକଳ୍ପ ବର୍ତମାନ ସମ୍ପୂର୍ଣ୍ଣଭାବେ କାର୍ଯ୍ୟକାରୀ ହେବାର ନିକଟତର ହୋଇଆସୁଥିବା ସହ ପୂର୍ବ ଭାରତକୁ ସମୃଦ୍ଧ ଏବଂ ସ୍ୱଳ୍ପ ଖର୍ଚ୍ଚରେ ଭବିଷ୍ୟତରେ ଗ୍ୟାସ୍ ବ୍ୟବହାର ଦିଗରେ ପ୍ରମୂଖ ଭୂମିକା ଗ୍ରହଣ କରିବ । ମୁଖ୍ୟତଃ ଏହି ଟର୍ମିନାଲଟି ବାଂଲାଦେଶ ଏବଂ ମିଆଁମାରକୁ ଗ୍ୟାସ୍ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ କରନ ଆଦାନୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏପିଏସ୍ଇଜେଡ୍ କହିଛନ୍ତି । ଏହି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଜୁଲାଇ ୨୦୧୭ରେ ହୋଇଥିଲା ଏବଂ ଏଲ୍ ଆଣ୍ଡ ଟି ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଛି । ଏଲ୍ ଆଣ୍ଡ ଟି ଏକ ଅଗ୍ରଣୀ ଭିତିଭୂମି ବିକାଶକାରୀ ସଂସ୍ଥା, ଯାହା ଏହି ଟର୍ମିନାଲରେ ଗ୍ୟାସ ଷ୍ଟୋରେଜ୍ ପାଇଁ ଟ୍ୟାଙ୍କ ନିର୍ମାଣର ଚୁକ୍ତି ପାଇଛି ଏବଂ ତାଇୱାନର ଏକ ସଂସ୍ଥା ସିଟିସିଆଇ କର୍ପୋରେସନ ଏହି ଟର୍ମିନାଲରେ ପୁନଃବାଷ୍ପୀକରଣ ପ୍ରକଳ୍ପ ନିମନ୍ତେ ଚୁକ୍ତି ସ୍ୱାକ୍ଷର କରିଛି ।