ଶ୍ରୀଲୋକନାଥଙ୍କ ମନ୍ଦିରରେ ଜଳିବ ବିରାଟ ଜଗତମଙ୍ଗଳ ଦୀପ, ପଡ଼ିବ ୪୫ ଟିଣ ଶୁଦ୍ଧ ଘିଅ

Feb 27, 2022 - 06:18
 52
ଶ୍ରୀଲୋକନାଥଙ୍କ ମନ୍ଦିରରେ ଜଳିବ ବିରାଟ ଜଗତମଙ୍ଗଳ ଦୀପ, ପଡ଼ିବ ୪୫ ଟିଣ ଶୁଦ୍ଧ ଘିଅ
ପୁରୀ ୨୭।୦୨: ଆଜି ପଙ୍କୋଦ୍ଧାର ଏକାଦଶୀ । ମହାପ୍ରଭୁ ଶ୍ରୀଲୋକନାଥଙ୍କ ମନ୍ଦିରରେ ଜଳିବ ବିରାଟ ଜଗତମଙ୍ଗଳ ଦୀପ । ୭ ଫୁଟ ଲମ୍ବା, ୪ ଫୁଟ ଚଉଡ଼ା ଓ ୨ ଫୁଟ ଗଭୀର ଏହି ଦୀପ । ୫୦୦ ଫୁଟ ଲମ୍ବା ଓ ୧୦ ଇଞ୍ଚ ମୋଟେଇ ସଳିତା ଏହି ଦୀପରେ ପଡ଼ିବ । ଯାହା ଜାଗର ପରଦିନ ସକାଳ ପର୍ଯ୍ୟନ୍ତ ଜଳିବ । ଦୀପରେ ପଡ଼ିବ ୪୫ ଟିଣ ଶୁଦ୍ଧ ଘିଅ । ୧୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ଏହି ଜଗତମଙ୍ଗଳ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ । ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠ ପରିସରରେ ଥିବା ପାର୍ବତୀ ସାଗର ପୁଷ୍କରିଣୀ ଉପରେ ବନ୍ଧା ଯାଇଥିବା ବିରାଟ ମଞ୍ଚା ଉପରେ ଏହି ଦୀପକୁ ସ୍ଥାପନ କରାଯାଇଛି । ବିଶ୍ୱର ମଙ୍ଗଳ ନିମନ୍ତେ ପ୍ରତିବର୍ଷ ଏହି ଦୀପ ଜାଳିଆସୁଛନ୍ତି ପୁରୀ ବାସେଳୀ ସାହି ଲୋକନାଥ ରୋଡ ଗଦାଧର ହାଇସ୍କୁଲ ନିକଟ ବାସିନ୍ଦା ସାମାଜିକ କର୍ମୀ ରାମକୃଷ୍ଣ ହୋତା । ଚଳିତ ବର୍ଷ କରୋନାରୁ ମୁକ୍ତି, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ସମସ୍ତଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ଶ୍ରୀ ହୋତା ଏହି ଦୀପ ଶ୍ରୀଲୋକନାଥ ମହାପ୍ରଭୁଙ୍କ ଆଗରେ ବସାଇଥିବା କହିଛନ୍ତି । ଏହା ଦୁନିଆର ସବୁଠାରୁ ବଡ଼ଦୀପ ବୋଲି ମଧ୍ୟ ଦାବି କରିଛନ୍ତି । ସେ କୁହନ୍ତି, ଏହି ଦୀପ ପ୍ରତିବର୍ଷ ନୂଆ କରାଯାଏ । ଯାହା କଟକ ବିଡ଼ାନାସୀର ଜଣେ କାରିଗର କରି ଦିଅନ୍ତି । ପୁରୀ ଲକ୍ଷ୍ମୀବଜାର ଜଣେ ବ୍ୟବସାୟୀ ସଳିତା ଯୋଗାଇ ଦିଅନ୍ତି । ଏଥିନିମନ୍ତେ ସ୍ୱତନ୍ତ୍ର ଭାବେ ଅର୍ଡର ଦିଆଯାଇଥାଏ । ଗିନିଜ୍‌ ବୁକ୍‌ ରେକର୍ଡସ୍‌ରେ ଦୀପକୁ ସ୍ଥାନ ଦେବା ନିମନ୍ତେ ମଧ୍ୟ ଚଳିତ ବର୍ଷ ଜୁରୀ ଆସୁଛନ୍ତି । ଜାଗର ପରଦିନ ଏହି ବିରାଟ ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ । ଦୀପ ପ୍ରଜ୍ଜ୍ୱଳନ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବିଧାୟକ, ଜିଲ୍ଲାପାଳ, ଏସ୍‌ପି, ଉପଜିଲ୍ଲାପାଳ ଯୋଗଦେବାର ପସ୍ତୁତି ରହିଥିବା ଶ୍ରୀ ହୋତା କହିଛନ୍ତି ।