ଶିଶୁ ଭବନ: ୨ ବର୍ଷ ବିତିଲା, ସ୍ୱପ୍ନରେ ରହିଗଲା ମଲ୍ଟି ଫାସିଲିଟି କୋଠା
କଟକ, ୨୫ା୫/(ସକାଖବର): ସର୍ଦ୍ଧାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନ (ଶିଶୁ ଭବନ)ର ଗୋଟିଏ ଛାତତଳେ ଭେଷଜ, ଶଲ୍ୟ, ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି, ଆଇସିୟୁ, ଏସଏନସିୟୁ, ନ୍ୟୁବର୍ଣ୍ଣ ୟୁନିଟ୍, ଅପରେସନ ଥିଏଟର ଆଦି ଚିକିତ୍ସା ସୁବିଧା ରହିବ । ସେଥିପାଇଁ ସାତମହଲା ବିଶିଷ୍ଟ ମଲ୍ଟି ଫାସିଲିଟି କୋଠା ନିର୍ମାଣ କରାଯିବ । ଗତ ୨ବର୍ଷ ତଳେ ଏହିପରି ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର । କେବଳ ପ୍ରତିଶ୍ରୁତି ଦେଇନଥିଲେ ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ ମଲଟି ଫାସିଲିଟି କୋଠା ଏବେ ସ୍ୱପ୍ନରେ ରହିଯାଇଛି । ଏହାର କିଛି ଅଗ୍ରଗତି ହୋଇପାରି ନଥିବାବେଳେ କେବଳ ନାମଫଳକ ଝୁଲିରହିଛି । ଗତ ୨୦୧୬ ମସିହା ଫେବୃୟାରୀ ୩ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭୂମିପୂଜା ହୋଇଥିବାବେଳେ ତକ୍ରାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଦେବାଶିଷ ସାମନ୍ତରାୟ, ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା, କଟକ ମହାନଗର ନିଗମର ମେୟର ମୀନାକ୍ଷୀ ବେହେରା, ଡେପୁଟି ମେୟର ଅଜୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଶିଶୁ ଭବନ ପ୍ରଶାସନିକ ଅଧିକାରୀ ଲିଙ୍ଗରାଜ ବେହେରାଙ୍କୁ ପଚାରିବାରେ ତାଙ୍କ ନିକଟରେ କିଛି ଖବର ନଥିବା ସେ ସୂଚନା ଦେଇଛନ୍ତି ।