ନିପାକୁ ନେଇ ଏସ୍ସିବି ଛାନିଆ, ଖୋଲିବ ନିୟନ୍ତ୍ରଣ ପ୍ରକୋଷ୍ଠ

May 25, 2018 - 11:22
 203
ନିପାକୁ ନେଇ ଏସ୍ସିବି ଛାନିଆ, ଖୋଲିବ ନିୟନ୍ତ୍ରଣ ପ୍ରକୋଷ୍ଠ
କଟକ, ୨୫ା୫/(ସକାଳଖବର): ସମ୍ପ୍ରତି ଚାରିଆଡେ ହଇଚଇ ସୃଷ୍ଟି କରିଥିବା ନିପା ରୋଗର ନିରାକରଣ ନେଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ) କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖୁବଶୀଘ୍ର କଣ୍ଟ୍ରୋଲ ରୁମ ଖୋଲାଯିବାକୁ ନିଷ୍ପତ୍ତିି ହୋଇଥିଲା । ଚକ୍ଷୁ ବିଭାଗରେ ପୂର୍ବରୁ ଡେଙ୍ଗୁ ୱାର୍ଡଭାବେ କାର୍ଯ୍ୟ କରୁଥିବା କକ୍ଷଗୁଡିକ ନିପା ରୋଗପାଇଁ ବ୍ୟବହାର ହେବ । ବୈଠକରେ ନିପା ସଂକ୍ରମିତ ଭୂତାଣୁ ଉପରେ ଆଲୋଚନା ହୋଇଥିବାବେଳେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବଡ ମେଡିକାଲ ଅଧୀକ୍ଷକ ପ୍ରଫେସର ଡ. ପ୍ରସନ୍ନ କୁମାର ଦେବତା, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ଉପସ୍ଥିତ ରହିଥିବାବେଳେ ଏହି ରୋଗପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ପିକେ ପାଢୀଙ୍କୁ ନୋଡାଲ ଅଧିକାରୀ ଓ ଆବାହକଭାବେ ପ୍ରଫେସର ଭୁବନାନନ୍ଦ ମହାରଣାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ସଦସ୍ୟଭାବେ ଛାତିରୋଗ ବିଭାଗର ମୁଖ୍ୟ ପ୍ରଫେସର ମନୋରଞ୍ଜନ ପଟ୍ଟନାୟକ, ନ୍ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଅଶୋକ କୁମାର ମଲ୍ଲିକ, ନିଶ୍ଚେତନ ବିଭାଗର ମୁଖ୍ୟ ପ୍ରଫେସର ବିକେ ପ୍ରଧାନ ରହିଛନ୍ତି । ଏଠାରେ ସୂଚନାଥାଉକି, ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁଯାୟୀ ନିପା ଭାଇରସ ବାଦୁଡିରୁ ଫଳକୁ ଏବଂ ଫଳରୁ ମଣିଷ ଓ ଅନ୍ୟ ପଶୁପକ୍ଷୀମାନଙ୍କ ଶରୀରକୁ ଆସିଥାଏ । ବିଶେଷକରି କେରଳରେ ନିପା ଭାଇରସଦ୍ୱାରା ଆକ୍ରାନ୍ତ ହୋଇ ଲୋକଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳିଛି । ଏ ପର୍ଯ୍ୟନ୍ତ ଏହି ରୋଗରେ କୌଣସି ପ୍ରତିଷେଧକ ଟିକା ବାହାରିନାହିଁ । ସଚେତନତା ହିଁ ଏହାର ନିରାକରଣ ବୋଲି ଡାକ୍ତରମାନେ କହୁଛନ୍ତି ।