ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ୩୬ ମାସରେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ

Sep 22, 2018 - 17:54
 324
ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ୩୬ ମାସରେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ
ଅନୁଗୋଳ, ୨୨/୯ (ସୁଶାନ୍ତ ସାହୁ): ତାଳଚେର ସାର କାରଖାନାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ଦିନ ଧରି ବନ୍ଦ ହୋଇ ପଡ଼ିଥିବା ସାର କାରଖାନା ପାଇବ ନୂଆ ଜୀବନ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହେବ ଏହି କାରଖାନା । ଆଉ ନୂତନ ଓଡ଼ିଶା ବିକାଶର ଗାଥା ଲେଖିବ ଏହି ସାର କାରଖାନା ବାର୍ଷିକ ୧.୨୭ ନିୟୁତ ମେଟ୍ରକଟନ ଉପôାଦନ କ୍ଷମତା ବିଶିଷ୍ଟ ଏହି କାରଖାନା ୩୬ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବା ସହ ୪୫୦୦ ଯୁବବର୍ଗଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷ କର୍ମ ସଂସ୍ଥାନ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାରଖାନା ଶିଳାନ୍ୟାସ କରିବା ପରେ ଆୟୋଜିତ ଏକ ସାଧାରଣ ସଭାରେ ମତପ୍ରକାଶ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ପୁନରୁଦ୍ଧର କାର୍ଯ୍ୟକ୍ରମର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କାରଖାନାର ଲକ୍ଷ୍ୟ, ଉପôାଦନ, ନିଯୁକ୍ତି, ପୁଞ୍ଜି ନିବେଶ ସହ ରାଜ୍ୟବାସୀଙ୍କ ଉନ୍ନତି ଓ ବିକାଶ ସଂପର୍କରେ ଆଲୋକପାତ କରିଥିଲେ । ଏହି କାରଖାନା ଦ୍ୱାରା ଅନ୍ୟ ଭିତ୍ତିଭୂମି ବିକାଶର ବାଟ ଫିଟିବ ବୋଲି ଆୟୋଜିତ ଦଳୀୟ ସାଧାରଣ ସଭାକୁ ସମ୍ବୋଧନ କରି କହିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ପ୍ରାରମ୍ଭରେ ଜୟ ଜଗନ୍ନାଥ, ଜୟ ମା ହିଙ୍ଗୁଳାଙ୍କ ନାମ ଉଚାରଣ କରି ଅଭିଭାଷଣ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ଦିଗରେ ସମାଲୋଚନା କରିବା ବେଶ ବାରି ହୋଇ ପଡ଼ୁଥିଲା । ଗରୀବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଉନ୍ନତମାନ ସ୍ୱାସ୍ଥ୍ୟ ସେବା ଯୋଗାଇବାପାଇଁ ଆୟୁଷ୍ମାନ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ପଛଘୁଞ୍ଚା ଦେଇଛନ୍ତି । ଏହି ଯୋଜନାରେ ଦେଶର ୧୦ କୋଟି ପରିବାର ଉପକୃତ ହେବେ । ଜଟିଳ ରୋଗର ଚିକିସôା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ମିଳିପାରିବ । ଏକଥା ନବୀନ ବାବୁ ହୃଦୟଙ୍ଗମ କରିବା ଆବଶ୍ୟକ । ନବୀନ ବାବୁ ଯୋଜନାରେ ସାମିଲ ହୁଅନ୍ତୁ । ଗରୀବ ଲୋକଙ୍କୁ ଲାଭ ଦେବାରେ ସହଯୋଗ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ପ୍ରାକୃତିକ ସଂପଦରେ ଓଡ଼ିଶା ଭରପୂର, ଭିତ୍ତିଭୂମିର ମଧ୍ୟ ଅଭାବ ନାହିଁ । କିନ୍ତୁ ସ୍ୱଚ୍ଛତା ମିଶନ ମାପଦଣ୍ଡରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ରାଜ୍ୟ ବହୁ ପଛରେ ପଡ଼ିଛି । ଏହି ଯୋଜନାର ସଘଂଳ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ବରୁ କଥା ହୋଇଥିଲେ । ଏବଂ ସ୍ୱଚ୍ଛତା ମିଶନକୁ ପ୍ରାଥମିକତା ଦେବାକୁ ସେ ପୁଣିଥରେ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଥିଲେ । ସେହିଭଳି ୧ ଟଙ୍କିଆ ଚାଉଳ କଥାକୁ ଦୋହରାଇ ଥିଲେ ପ୍ରଧାନମନ୍ତ୍ରୀ । ଆଉ କେନ୍ଦ୍ର ସରକାର ୨୫ ରୁ ୩୦ ଟଙ୍କା ସହଯୋଗ କରୁଛି । ଏବଂ ବାର୍ଷିକ ବାବଦରେ କେନ୍ଦ୍ର ୪୫୦ କୋଟି ଟଙ୍କା ସହାୟତା ଦେଉଛି । ସେହିଭଳି ଉଜ୍ଜଳା ଯୋଜନା ସଂପର୍କରେ ସୂଚନା ଦେଇ କହିଲେ ଯେ ଏନଡ଼ିଏ ସରକାରଙ୍କ ପୂର୍ବରୁ ରାଜ୍ୟରେ ଗ୍ୟାସ ସଂଯୋଗ ମାତ୍ର ୨୨% ଥିଲା । ମାତ୍ର ବର୍ତ୍ତମାନ ସରକାର ଅମଳରେ ଏହା ୬୦ ରୁ ୬୫ %ରେ ପହଞ୍ଚôଛି । ଗରିବ ଉପଭୋକ୍ତାଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଉଛି । ପୂର୍ବରୁ କେନ୍ଦ୍ରରୁ ଆସୁଥିବା ଅନୁଦାନ ୧୫% ହିତାଧିକାରୀ ପାଉଥିଲେ । କିନ୍ତୁ ବର୍ତ୍ତମାନ ୧୦୦% ହିତାଧିକାରୀଙ୍କ ଏକାଉଣ୍ଟକୁ ସିଧାସଳଖ ଯାଉଛି । ଏଥିପାଇଁ କେନ୍ଦ୍ର ସରକାରବଦ୍ଧ ପରିକର । ତାଳଚେର ସାର କାରଖାନା ଚାଲୁ ନହେବା ପୂର୍ବ ସରକାରଙ୍କ ବିଫଳତା ଥିଲା । ମାତ୍ର ଏନଡ଼ିଏ ସରକାର ସମୟରେ ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଅବିଭକ୍ତ ଢେ଼ଙ୍କାନାଳ ଜିଲା ଗଡ଼ଜାତ ଆନେ୍ଦାଳନର ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ, ଶହୀତ ବାଜି ରାଉତ, ମହେଶ୍ଚନ୍ଦ୍ର ସୁବାସ ସିଂ, ରାଜା ସୋମନାଥ ସିଂଙ୍କ ବିରତ୍ୱର କାଥାର ସ୍ମୃତି ଚାରଣ କରିଥିଲେ । ଏବଂ ଅଭିଭାଷଣ ଶେଷରେ ଜୟ ଜଗନ୍ନାଥ ଉଚାରଣ କରି ମଞ୍ଚରୁ ବିଦାୟ ନେଇଥିଲେ । ଏହି ଦଳୀୟ ସାଧାରଣ ସଭାକୁ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ପରିଚାଳନା କରୁଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଷ୍ଟ୍ରୀୟ ପ୍ରଭାରୀ ଅରୁଣ ସିଂ, କେ.ଭି. ସିଂହଦେଓ, ମନମୋହନ ସାମଲ, ବିଶ୍ୱ ଭୂଷଣ ହରିଚନ୍ଦନ, ସୁରମା ପାଢ଼ୀ, ସମ୍ବିତ ପାତ୍ର, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ ।