ଶାହାଙ୍କ ଭାଷା, ଭାବରେ ଅସହାୟତା ଭାବ: ବିଜେଡି

Sep 25, 2018 - 18:31
 222
ଶାହାଙ୍କ ଭାଷା, ଭାବରେ  ଅସହାୟତା ଭାବ: ବିଜେଡି
ଭୁବନେଶ୍ୱର, ୨୫/୯ (ସକାଳଖବର): ଓଡ଼ିଶାର ସ୍ଥିତି, ଗତି ଓ ପ୍ରଗତି ସଂପର୍କରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କର କୌଣସି ଧ୍ୟାନ ଧାରଣା ନାହିଁ କିମ୍ବା ଓଡ଼ିଶା ସଂପର୍କରେ ସ୍ଥାନୀୟ ନେତାମାନେ ତାଙ୍କୁ ସଠିକ୍ ସୂଚନା ଦେଇନାହାନ୍ତି । ନିକଟରେ ଓଡ଼ିଶା ଗସ୍ତରେ ଆସି ସାମ୍ପ୍ରତିକ ସ୍ଥିତି ସଂପର୍କରେ ସେ ଯେଭଳି ମତ ଓ ମନ୍ତବ୍ୟ ପ୍ରଦାନ କରିଛନ୍ତି, ସେଥିରୁ ତାହା ହିଁ ଜଣାପଡୁଛି । ଏଭଳି ମତ ଓ ମନ୍ତବ୍ୟ ଦେଇ ସେ ନିଜର କର୍ମୀମାନଙ୍କୁ ସାମୟିକ ଉତ୍ସାହିତ କରିଥାଇ ପାରନ୍ତି, କିନ୍ତୁ ତା’ର କୌଣସି ପ୍ରଭାବ ଓଡ଼ିଶାବାସୀଙ୍କ ଉପରେ ପଡ଼ିନାହିଁ । ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ଅନେକ ପ୍ରସଂଗ ଯଥା, ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା, କେବିକେକୁ ସ୍ୱତନ୍ତ୍ର ଅନୁଦାନ, ବିଭିନ୍ନ ଜନହିତକର ଯୋଜନାରୁ ଅର୍ଥ କାଟ୍ କରିବା, ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରି ଚାଷୀଙ୍କୁ ନ୍ୟାୟ ଦେବା, ଏବଂ ମହାନଦୀ ଓ ପୋଲାଭରମ୍ ପ୍ରସଂଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିବା ସଂପର୍କରେ ମୁଖ୍ୟମନ୍ତ୍ରୀ ବହୁବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶ୍ରୀ ଶାହା ଏ ସଂପର୍କରେ ପଦୁଟିଏ ପାଟି ନଖୋଲିବା ତଥା ସଂପ୍ରତି ଅହେତୁକ ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ଦର ବୃଦ୍ଧି କରି ସାଧାରଣ ଖାଉଟି ଓ ଗୃହିଣୀଙ୍କ ଉପରେ ବୋଝ ଲଦିବା ବିଷୟରେ ପଦୁଟିଏ ବି ନକହିବାରୁ ବିଜେପି ନେତାମାନଙ୍କର ଓଡ଼ିଶା ପ୍ରତି ମତି-ଗତି ସ୍ପଷ୍ଟ ବାରି ହୋଇପଡୁଛି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି । ଓଡ଼ିଶାରେ କେଉଁ ଯୋଜନା କିଭଳି ଭାବରେ ଲୋକମାନଙ୍କର ସାହାଯ୍ୟରେ ଆସିପାରିବ ଏବଂ ଓଡ଼ିଶାର ପ୍ରଗତି ପାଇଁ କିଭଳି ଭାବରେ କାର୍ଯ୍ୟକ୍ରମ ପ୍ରଣୟନ କରାଯାଇପାରିବ, ତାହା ଗତ ୧୮ବର୍ଷ ଧରି ସାଢେ଼ ଚାରି କୋଟି ଓଡ଼ିଆଙ୍କର ଆଶା, ବିଶ୍ୱାସ, ଶ୍ରଦ୍ଧା ଓ ସହଯୋଗକୁ ଆଧାର କରି କାର୍ଯ୍ୟ କରୁଥିବା ବିଜୁ ଜନତା ଦଳ ସରକାର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଆଉ କିଏ ଜାଣିପାରିବ? ଲୋକମାନଙ୍କର ଇଚ୍ଛା ଓ ଆବଶ୍ୟକତା ମୁତାବକ ରାଜ୍ୟ ସରକାର କାର୍ଯ୍ୟ କରୁଥିବାରୁ ଜନସାଧାରଣଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁଛନ୍ତି । ବର୍ଷକୁ ଥରେ ଅଧେ ଆସି ଓଡ଼ିଶାର ଉନ୍ନତି ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଛାତି ଫଟାଇ କାନ୍ଦିବାର ଛଳନା କରିବା ଏବଂ ଏକ ପ୍ରଗତିଶୀଳ ଲୋକପ୍ରିୟ ସରକାରଙ୍କୁ ତାତ୍ସଲ୍ୟ କରିବା ରାଜ୍ୟର ଜନସାଧାରଣଙ୍କୁ ବ୍ୟଥିତ କରିଛି । ଓଡ଼ିଶାବାସୀ ଜାଣନ୍ତି ଏବଂ ଆଗକୁ ଆହୁରି ମଧ୍ୟ ଜାଣିବେ ଯେ ଆୟୁଷ୍ମାନ ଯୋଜନା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟରେ ଫରକ କ’ଣ? ଜବରଦସ୍ତ କେନ୍ଦ୍ରୀୟ ଯୋଜନାକୁ ଲଦି ଦେଇ ରାଜନୈତିକ ଫାଇଦା ଉଠାଇବା ପାଇଁ କେନ୍ଦ୍ରୀୟ ବିଜେପି ସରକାର ଯେଉଁ ଷଡ଼ଯନ୍ତ୍ର କରିଥିଲା, ତାହା ଫସର ଫାଟିଯିବାରୁ ବିଜେପି ଏବେ ରକ୍ତ ଚାଉଳ ଚୋବାଉଛନ୍ତି । ଶ୍ରୀ ଶାହାଙ୍କ ଭାଷା, ଭାବ ଓ ଭଙ୍ଗୀରେ ଏକ ବିକଳ ଅସହାୟତା ଏବଂ ହତାଶାଭାବ ସ୍ପଷ୍ଟ ପ୍ରକଟିତ ହେଉଛି । ବିଜୁ ଜନତା ଦଳ ସରକାର ଲୋକମାନଙ୍କର ସରକାର ଓ ଲୋକମାନଙ୍କର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ।