ରାସନ୍ କାଡର଼୍ ସହ ଆଧାର ସଂଯୋଗ କଲେ ୩ଲକ୍ଷ ୭୩ ହଜାର ହିତାଧିକାରୀ

Sep 18, 2019 - 06:01
 140
ଭୁବନେଶ୍ୱର, ୧୬/୯(ସକାଳଖବର): ଜାତୀୟ ସୁରକ୍ଷା ଆଇନରେ ରାସନ କାଡର଼୍ଧାରୀ ମାନଙ୍କର ଆଧାର ସଂଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମରେ ୯୦,୧୩,୩୬୯ ପରିବାର ମଧ୍ୟରୁ ୮୮,୨୮,୪୧୯ ପରିବାର ଆଧାର ସଂଯୋଗ କରିଛନ୍ତି । ସେହିପରି ୩ କୋଟି ୨୫ ଲକ୍ଷ ୯୮ ହଜାର ବ୍ୟକ୍ତିଗତ ହିତାଧିକାରୀଙ୍କ ମଧ୍ୟରୁ ୩ କୋଟି ୭ ଲକ୍ଷ ୩୦ ହଜାର ୧୯୭ ହିତାଧିକାରୀ ଆଧାର ସଂଯୋଗ କରିଛନ୍ତି । କେହି ଜଣେ ଯୋଗ୍ୟ ହିତାଧିକାରୀ ଯେପରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଯେହେତୁ ରାଜ୍ୟରେ ସମସ୍ତ ରାସନ କାଡର଼୍ ପରିଚାଳନା କେନ୍ଦ୍ର ଖୋଲା ରହୁଛି, ତେଣୁ ଯେଉଁମାନେ ଅନିବାର୍ଯ୍ୟ କାରଣ ବଶତଃ ଆଧାର ସଂଯୋଗ କରିପାରିନାହାନ୍ତି ସେମାନେ ଆଧାର କାଡର଼୍ ଆଣି ରାସନ କାଡର଼୍ ସହ ସଂଯୋଗ କରିପାରିବେ । ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଯୋଗାଣ ନିରୀକ୍ଷକଙ୍କ ପ୍ରମାଣପତ୍ର ଆଧାରରେ କୁଷ୍ଠରୋଗଗ୍ରସ୍ତ, ଭୀଷଣ ଭାବେ ପୀଡ଼ିତ କିମ୍ବା ଯଥାର୍ଥ କାରଣ ବଶତଃ ଆଧାର କାଡର଼୍ କରି ହେଉନଥିବା ବ୍ୟକ୍ତିଙ୍କୁ ଏହି ଖାଦ୍ୟ ସୁରକ୍ଷା ଆଇନରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । ସେହିପରି ୨୦୧୯-୨୦ ଖରିଫ୍ ବିପଣନ ଋତୁରେ ଧାନ ସଂଗ୍ରହ ନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପାଣି ପଂଚାୟତ, ଲ୍ୟାମ୍ପସ ଜରିଆରେ ଚାଷୀମାନଙ୍କ ନାମ ପଂଜୀକରଣ କାର୍ଯ୍ୟ ସେପ୍ଟେମ୍ବର ୧୭ ତାରିଖରେଶେଷ ହେଉଥିବା ବେଳେ ସେପ୍ଟେମ୍ବର ୧୬ ତାରିଖ ମଧ୍ୟାହ୍ନ ସୁଦ୍ଧା ୧୧ ଲକ୍ଷ ୧୬ ହଜାର ୧୯୭ ଜଣ ଚାଷୀ ନାମ ପଂଜୀକରଣ ସହ ଆଧାର ସଂଯୋଗ କରିଛନ୍ତି ବୋଳି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।