କାଳିଆ ଛାତ୍ରବୃତି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Feb 19, 2019 - 20:51
 153
ଭୁବନେଶ୍ୱର, ୧୯/୨(ସକାଳଖବର): ଚାଷୀ ପରିବାରର ପିଲାମାନେ ଉଚ୍ଚ ବୈଷୟିକ ଶିକ୍ଷା ଲାଭ କଲେ ମୁଁ ଖୁସି ହେବି । ସେମାନଙ୍କୁ ଏଥିପାଇଁ କାଳିଆ ଛାତ୍ରବୃତି ଯୋଜନା ମାଧ୍ୟମରେ ଅର୍ଥ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ସନ୍ଧ୍ୟାରେ ସଚିବାଳୟଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଶୁଭାରମ୍ଭ କରି କହିଲେ ଯେ, କାଳିଆ ଯୋଜନା ଅନ୍ତର୍ଗତ ହିତାଧିକାରୀ ପରିବାରର ପିଲାମାନଙ୍କର ବୃତିଗତ ଉଚ୍ଚ ଶିକ୍ଷା ପାଇଁ କାଳିଆ ଛାତ୍ରବୃତି ଯୋଜନା ଘୋଷଣା କରାଯାଇଛି । କେନ୍ଦୁଝର ଠାରେ ଆୟୋଜିତ ବିରାଟ ଚାଷୀ ସମାବେଶରେ ଯୋଗଦେଇ କାଳିଆ ଯୋଜନାରେ ଲୋକପ୍ରିୟତା ସମ୍ପର୍କରେ ଆଲୋକପାତ କରିଥିଲେ । କାଳିଆ ଯୋଜନାରେ ଅନୁପ୍ରାଣିତ ହୋଇ ଏହିପରି ଯୋଜନା ସମଗ୍ର ଭାରତ ବର୍ଷରେ ମଧ୍ୟ ଚାଷୀଙ୍କର କଲ୍ୟାଣ ସାଧନ ନିମନ୍ତେ କାର୍ଯ୍ୟକାରୀ ହେବାକୁ ଯାଉଛି । ଚାଷୀ ପରିବାରର ଭବିଷ୍ୟତ ଏବଂ ସେମାନଙ୍କ ପିଲାମାନଙ୍କର ଉନ୍ନତି ନିମନ୍ତେ ଉଭୟ କାଳିଆ ଏବଂ କାଳିଆ ଛାତ୍ରବୃତି ଯୋଜନା ଉଦ୍ଧିଷ୍ଟ । ମୁଁ ଚାହେଁ ଚାଷୀ ପରିବାରର ପିଲାମାନେ ବୈଷୟିକ ଜ୍ଞାନପ୍ରାପ୍ତ ହୁଅନ୍ତୁ । ଡାକ୍ତର, ଇଂଜିନିୟର, ପ୍ରାଣୀ ସମ୍ପଦ ଚିକିତ୍ସକ, କୃଷି ବିଜ୍ଞାନୀ, କୃଷି ଆନୁସଙ୍ଗିକ ନର୍ସିଂ ସ୍ନାତକ ଅନ୍ୟାନ୍ୟ ଡିପ୍ଲୋମା ବୃତିଧାରୀ ହୁଅନ୍ତୁ । ଏଭଳି ହେଲେ ଚାଷୀ ପରିବାରର ଉଜ୍ଜଳ ଭବିଷ୍ୟତ ଏବଂ ଚାଷୀ ମାନଙ୍କର ଭବିଷ୍ୟତକୁ ମଧ୍ୟ ଉନ୍ନତ କରିବ । ଯାହାକି ଦେଶର ବିକାଶ ସହ ସମାଜର ସେବା ମିଳିପାରିବ । ମେଧା ଭିତିରେ କାଳିଆ ଯୋଜନାର ହିତାଧିକାରୀ ପିଲାମାନଙ୍କୁ ସରକାରୀ ବୃତିଗତ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୃଷି ଓ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଲେ ଯେ, ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ଯୋଜନା ସ୍ୱାଗତଯୋଗ୍ୟ । ଚାଷୀ ପରିବାରର ମେଧାବୀ ଛାତ୍ର ଛାତ୍ରୀମାନେ ଉଚ୍ଚ ଶିକ୍ଷାପାଇଁ ସହାୟତା ପାଇପାରିବେ । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଲେ ଯେ, କାଳିଆ ଛାତ୍ରବୃତି ଯୋଜନାର ସହାୟତା ସରକାରୀ ଅନୁଷ୍ଠାନରେ ଅଧ୍ୟୟନ କରୁଥିବା ମେଧାବୀ ଚାଷୀ ପରିବାରର ପିଲାମାନଙ୍କୁ ସିଧାସଳଖ ଶିକ୍ଷାନୁଷ୍ଠାନ ନତୁବା ଛାତ୍ରଙ୍କ ଆକାଉଂଟକୁ ପଠାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କାଳିଆ ଛାତ୍ରବୃତିର ଲୋଗ ଏବଂ କାଳିଆ ଛାତ୍ରବୃତି ଯୋଜନାର ପୋଟାଲକୁ ଶୁଭାରମ୍ଭ କରିଥିଲେ । ବିଡ଼ିଏର ଭାଇସଚେୟାରମ୍ୟାନ କି୍ରଷ୍ଣକୁମାର ଧନ୍ୟବାଦ ଦେଇଥିଲେ । ଏଥିରେ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ ।