ରାଉରକେଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଚେକ୍ ଦେଲେ ନିରଞ୍ଜନ
ଭୁବନେଶ୍ୱର,୪/୧୨(ସକାଳଖବର): ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପିସିସର ଏକ ପ୍ରତିନିଧିଦଳ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚି କେନ୍ଦ୍ର ସରକାର ରାଉରକେଲା ସ୍ଥିତ ଆଇଜିଏଚ୍କୁ ଏକ ସୁପର ସ୍ପେଶାଲିଟି ହସପିଟାଲରେ ପରିଣତ କରିବାକୁ ଦାବି ଜଣାଇଛନ୍ତି । ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ନିବେଦନକ୍ରମେ କଂଗ୍ରେସ ପକ୍ଷରୁ ଅନ୍ଲାଇନରେ କ୍ରାଉଡ ଫଣ୍ଡିଂ ଜରିଆରେ ସଂଗ୍ରହ କରାଯାଇଥିବା୨୦ ଲକ୍ଷ ୨୦ ହଜାର ୫୦୪ ଟଙ୍କାର ଏକ ଚେକ୍ କଂଗ୍ରେସ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିବା ସହିତ ଆଇଜିଏଚ୍କୁ ସୁପର ସ୍ପେଶାଲିଟି ହସପିଟାଲ କରିବା ନିମନ୍ତେ ଦାବି ଜଣାଇଥିଲେ । କଂଗ୍ରେସର ଏଭଳି ସକାରାତ୍ମକ ପଦକ୍ଷେପକୁ ସାକାର କରିବା ଦିଗରେ କେନ୍ଦ୍ର ସରକାର ଆଗେଇ ଆସିବାକୁ ସେମାନେ କହିଥିଲେ ।
ସୂଚନାଯୋଗ୍ୟ ଯେ ଶ୍ରୀ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ହେବାପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଜ୍ୟର ପଶ୍ଚିମାଂଚଳ ଅଧିବାସୀଙ୍କର ଏକ ପ୍ରମୁଖ ଦାବି କାର୍ଯ୍ୟକାରୀ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ନିରଂଜନଙ୍କ ସହିତ ଦଳର ଏଆଇସିସି ସଂପାଦକ ଅନିଲ ଚୋ÷ଧୁରୀ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ବିଧାୟକ ଜର୍ଜ ତିର୍କିୀ, ବରିଷ୍ଠ ନେତା ଶ୍ରୀ ଅନନ୍ତ ସେଠୀ, ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ରାଉରକେଲା ଡିସିସି ସଭାପତି ଶ୍ରୀ ରବି ରାୟ, ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ସୋସିଆଲ ମିଡିଆ ସଂଯୋଜକ ଶ୍ରୀ ଅଭିଷେକ ମହାନନ୍ଦ, ଶ୍ରୀମତୀ ସୁଚିତ୍ରା ମହାନ୍ତି ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଯାଇଥିଲେ ।