ଅଭିନନ୍ଦନ ଆଳରେ ଭଦ୍ରକ ସହରରେ ନେତାଙ୍କ ବ୍ୟାନର ଲଢେ଼ଇ

Jan 4, 2019 - 17:57
 162
ଭଦ୍ରକ, ୪/୧(ସକାଳଖବର): ଆଗକୁ ନିର୍ବାଚନ ତା’ ସାଙ୍ଗକୁ ନବବର୍ଷର ଶୁଭେଚ୍ଛା ଭଦ୍ରକ ସହରକୁ ଏବେ ବ୍ୟାନରମୟ କରିଦେଇଛି । ନେତାମାନେ ଏବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସହରଯାକ ଛାଇଦେଲେଣି ରଙ୍ଗ ବେରଙ୍ଗ ବ୍ୟାନର ପୋଷ୍ଟର । ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ହାତ ମାରିବାକୁ ଏବେ ଖାଲି ଜାଗାଟିଏ ନାହିଁ । ସବୁଠି ଲାଗିଛି ନେତାଙ୍କ ବଡ ବଡ ବ୍ୟାନର ଏବଂ ସୁସଜ୍ଜିତ ତୋରଣ । ବ୍ୟାନର ଏବଂ ବିରାଟ ବିରାଟ ହୋଡିଂ ମାଧ୍ୟମରେ ଆତ୍ମ ପ୍ରଚାର କରୁଥିବା ନେତାମାନଙ୍କର ଏହି ତୋରଣ ପଛରେ ପ୍ରତିଫଳିତ ହେଉଛି ସେମାନଙ୍କର ନିର୍ବାଚନ ଲଢିବାର ଆକାଂକ୍ଷା । କେବଳ ସେତିକି ନୁହେଁ ବ୍ୟାନର ମାଧ୍ୟମରେ ମଧ୍ୟ ପ୍ରତିଫଳିତ ହେଉଛି ଜିଲାର ରାଜନୈତିକ ଦୃଶ୍ୟପଟ୍ଟ । କିଏ କେଉଁ ନେତାଙ୍କର ଆପଣାର କିଏ କେଉଁ ନେତାଙ୍କର ପର ତାହା ସ୍ପଷ୍ଟ ପ୍ରତିଫଳିତ ହେଉଛି । ସରକାରୀ ନିୟମ ଅନୁଯାୟୀ ସହରରେ ବ୍ୟାନର ଲଗାଇବା ସକାଶେ ପୌରପାଳିକା ଠାରୁ ଆବଶ୍ୟକ ଅନୁମୋଦନ ସହିତ ଆବଶ୍ୟକ ଦେୟ ଦେବାକୁ ପଡିଥାଏ । ହେଲେ ରାଜନୈତିକ କ୍ଷମତାର ଅପବ୍ୟବହାର କରାଯାଇ ନେତାମାନେ ବିନା ସରକାରୀ ଅନୁମୋଦନରେ ସହରଯାକ ବ୍ୟାନର ପୋଷ୍ଟର ଛାଇ ଦେଉଛନ୍ତି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜିଲା ପ୍ରଶାସନ ଏବଂ ପୌରପାଳିକା ସହରରେ ଛାଇ ହୋଇ ଯାଇଥିବା ଏହି ବ୍ୟାନର ଏବଂ ପୋଷ୍ଟରଲଗା ଉପରେ ତୁରନ୍ତ କଟକଣା ଜାରି କରିବା ସହିତ ବେଆଇନ୍ ଭାବେ ଲଗାଯାଇଥିବା ବ୍ୟାନର ଗୁଡିକୁ ତୁରନ୍ତ ହଟାଇବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି ।