ବିଜେପି ଓ ମୋଦିଙ୍କୁ ବିଜେଡ଼ିର ପ୍ରଶ୍ନ : ୧୪ ବର୍ଷ କ୍ଷମତା କାଳରେ ଓଡ଼ିଶା ପାଇଁ କଣ କରିଛ ?
ଭୁବନେଶ୍ୱର, ୨୯/୩(ସକାଳଖବର): ବିଜେଡ଼ି ସହ ବିଜେପି ୯ ବର୍ଷ କାଳ ମେଂଟ ଶାସନରେ ଥିଲା । ବିଗତ ୫ ବର୍ଷ ବିଜେପି କେନ୍ଦ୍ରରେ ଶାସନ କରୁଛି । ଏହିଭଳି ୧୯ ବର୍ଷ ଭିତରେ ବିଜେପି ୧୪ ବର୍ଷ କାଳ ଶାସନ କ୍ଷମତାରେ ରହିଛି । ଏହି ସମୟରେ ଓଡ଼ିଶା ପାଇଁ ବିଜେପି କ’ଣ କରିଛି ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ବିଜେଡି ଜବାବ୍ ମାଗିଛି ।
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ପ୍ରଚାର ଭାଷଣ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ । ପ୍ରଧାନମନ୍ତ୍ରୀ ଏଭଳି ଗୋଟିଏ ଦିନରେ ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ, ଯେଉଁଦିନ ଜଣେ ବିଜେପି ପ୍ରାର୍ଥୀ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେଇଛନ୍ତି । ଏହା ସ୍ପଷ୍ଟ ବୁଝାଉଛି ଯେ ରାଜ୍ୟରେ ବିଜେପି ଅତି ଦ୍ରୁତଗତିରେ ଭାଙ୍ଗିରୁଜି ଯାଉଛି ବୋଲି ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି ।
ଡ. ପାତ୍ର କହିଛନ୍ତି, ବିଗତ ୫ ବର୍ଷରେ ବିଜେପି ଅନେକ ପ୍ରତିଶ୍ରୁତି ଦେଇ ପାଳନ କରିନାହିଁ । କୋଷ୍ଟାଲ୍ ହାଇୱେ ନିର୍ମାଣ କାହିଁକି ହୋଇପାରିନାହିଁ ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀଙ୍କଠାରୁ ଶୁଣିବାକୁ ଚାହୁଁଥିଲେ । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ଇସ୍ପାତ ମେଡ଼ିକାଲ୍ କଲେଜର ପ୍ରତିଶ୍ରୁତି କାହିଁକି ପାଳନ ହୋଇନାହିଁ ପ୍ରଧାନମନ୍ତ୍ରୀଙ୍କଠାରୁ ଶୁଣିବାକୁ ଚାହୁଁଥିଲେ । ବିଜେପିର ନିର୍ବାଚନୀ ଇସ୍ତାହାରରେ ଥିବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତିଶ୍ରୁତି କାହିଁକି ପୂରଣ ହେଲାନି ପ୍ରଧାନମନ୍ତ୍ରୀଙ୍କଠାରୁ ଶୁଣିବାକୁ ଚାହୁଁଥିଲେ । ବିଜେପିର ଏହିସବୁ ପ୍ରତିଶ୍ରୁତି ପାଳନ ହୋଇନି ବୋଲି ପ୍ରଧାନମନ୍ତ୍ରୀ ନ କହିଲେ ନାଇଁ, କେବେ ହେବ ତାହା ବି ଜଣାଇଲେନି ।
ଓଡ଼ିଶାର ବିକାଶ ପାଇଁ ବିଜେପି ଧ୍ୟାନ ଦେବା ପରିବର୍ତେ ଆଖି ବୁଜି ଦେଇଥିବା ପ୍ରଧାନମନ୍ତ୍ରୀ ଭୁଲିଯିବା ଉଚିତ ନୁହେଁ । ଦୁର୍ଭାଗ୍ୟର କଥା, ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡ଼ିଶାକୁ ସମର୍ଥନ କରିନାହାନ୍ତି । ୩୩ଟି ଯୋଜନାରେ ଅର୍ଥକାଟ କରାଯାଇଛି । ବିଆରଜିଏଫ, ଆଇଏପି ଏବଂ କେବିକେ ଭଳି ୮ଟି ଯୋଜନାକୁ ବନ୍ଦ କରି ଦିଆଯାଇଛି । ବିଜେପି ଶାସିତ ରାଜ୍ୟମାନଙ୍କରେ ଆୟୁଷ୍ମାନ ଯୋଜନା ସମ୍ପୂର୍ଣ୍ଣ ଫେଲ୍ ହୋଇଛି । ବରଂ ଓଡ଼ିଶାରେ ରାଜ୍ୟ ସରକାରଙ୍କ ନିଜସ୍ୱ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଯେଉଁଥିରେ ମହିଳାମାନଙ୍କୁ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳୁଛି ତାହା ଆର୍ନ୍ତଜାତୀୟସ୍ତରରେ ଆଦୃତ ଲାଭ କରିଛି । ‘କାଳିଆ’ ଯୋଜନାକୁ ଦେଶ ବିଦେଶର ବିଶିଷ୍ଟ ଅର୍ଥନୀତିଜ୍ଞ ଓ କୃଷି ବିଶାରଦମାନେ ଉଚ୍ଚ ପ୍ରଶଂସା କରି ରୋଲ୍ ମଡେ଼ଲ ଭାବେ ଗ୍ରହଣ କରିଛନ୍ତି । ଦୁର୍ଭାଗ୍ୟର କଥା ବିଜେପି ଚାପରେ ଏହି ଯୋଜନା ଏବେ ବନ୍ଦ ରହିବା ଯୋଗୁଁ ୨୦ ଲକ୍ଷ ଚାଷୀ ସହାୟତା ପାଇବାରୁ ବଂଚିତ ହୋଇଛନ୍ତି ।
ବିଜେପି ପାର୍ଟିରେ ବିଶ୍ୱାସ କରେ, ମାଟିରେ ନୁହେଁ । ମାତ୍ର ବିଜୁ ଜନତା ଦଳ ମାଟିରେ ବିଶ୍ୱାସ କରେ, ପାର୍ଟିରେ ନୁହେଁ । ଓଡ଼ିଶାବାସୀ ଏହା ବୁଝିସାରିଛନ୍ତି । ଆଗାମୀ ନିର୍ବାଚନରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଢ଼ ଓ ବଳିଷ୍ଠ ନେତୃତ୍ୱ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ରେକର୍ଡ ପଂଚମ ଥର ପାଇଁ ନିର୍ବାଚିତ କରିବେ ଏବଂ ୨୧ ଟି ଲୋକସଭା ଆସନରେ ବିଜେଡ଼ିକୁ ଆଶୀର୍ବାଦ କରିବେ ବୋଲି ଡ. ପାତ୍ର କହିଛନ୍ତି ।